୭ ବର୍ଷୀୟା ଝିଅକୁ ମା’ର ନିର୍ଯାତନା

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧା ମଧୁସୂଦନ ନଗର ଅଞ୍ଚଳରେ ଜଣେ ୭ବର୍ଷୀୟା ଝିଅକୁ ମା’ ଅକଥନୀୟ ନିର୍ଯାତନା ଦେଉଥିବା ଘଟଣା ସାମ୍ନାକୁ ଆସିଛି। ଦୀର୍ଘଦିନ ହେଲା ଦ୍ୱିତୀୟ ସ୍ବାମୀଙ୍କ ସହ ମା’ ମିଶି ଶିଶୁକନ୍ୟାକୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ। ରବିବାର ସ୍ଥାନୀୟ ଲୋକଙ୍କ ନଜରରେ ଏହି ଘଟଣା ପଡ଼ିଛି। ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ନିର୍ଯାତିତା ଶିଶୁକନ୍ୟାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ତାଙ୍କର ବିଭିନ୍ନ ଅଂଶରେ ଆଘାତ ଲାଗିଥିବାବେଳେ ଦୁଇ ଆଖି ଫୁଲିଯାଇଛି। ଗୋଟିଏ ପାର୍ଶ୍ୱ ଆଖିରେ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ପୋଲିସ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସ୍ବାମୀ ଫେରାର ଅଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ କହିଛି।
ଘରେ ଖାଇବା ପିଇବାକୁ ନ ଦେବା ସହ ଅଧିକାଂଶ ସମୟରେ ଶିଶୁକନ୍ୟାକୁ ମାଡ଼ ମରାଯାଉଥିବା ନେଇ ମାମୁଘରକୁ ଜଣାଇବାରୁ ଶିଶୁକନ୍ୟାକୁ ଏଭଳି ମାଡ଼ ମାରିଥିବା ମହିଳା ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସ୍ବାମୀ ସ୍ତ୍ରୀ ମିଶି ନାବାଳିକାଙ୍କୁ ବିଭିନ୍ନ ସମୟରେ ମାଡ଼ ମାରୁଥିଲେ। ଏପରିକି ଶିଶୁଟି କାହା ଘରେ ଆଶ୍ରୟ ନେଲେ ସହିପାରୁ ନ ଥିଲେ। ତେବେ ଏଭଳି ହୃଦୟବିଦାରକ ଘଟଣାକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜନ୍ମ କଲା ମା’ କିପରି ନିଜ ଶିଶୁଙ୍କ ପ୍ରତି ଏପରି ନିଷ୍ଠୁର ହୋଇପାରେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।