ବାର୍‌ହା ଆକ୍ରମଣରେ ୭ ଗୁରୁତର

ହିିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ବ୍ରହ୍ମପୁର ସଦର ଥାନା ଏ ଚନ୍ଦ୍ରମଣିପୁର ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ବାର୍‌ହା ଆକ୍ରମଣରେ ୭ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଶାନ୍ତା ରୁନିଆ(୧୧), ଜୀବନ ଗଉଡ଼(୭), ସୂର୍ଯ୍ୟ ଗଉଡ଼(୩୦), ସୁଶିଳା ଗଉଡ଼(୫୫), ଜୟନ୍ତିି ଜେନା(୪୨), ପ୍ରିୟଙ୍କା ବିଷୋୟୀ(୨୬) ଓ ସୁଶୀଳା ସ୍ବାଇଁ(୪୫) । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ହିଞ୍ଜିଳିକାଟୁ ସବ୍‌ଡିଭିଜନ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।
ପ୍ରକାଶ ଯେ, ପୂର୍ବାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ଶାନ୍ତା ଓ ଜୀବନଙ୍କୁ ଏକ ବାର୍‌ହା ଅତର୍କିତ ଆକ୍ରମଣ କରିଥିଲା। ଗାଁଲୋକେ ନାବାଳକଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଆସିବାରୁ ବାର୍‌ହା ଘଟଣାସ୍ଥଳରୁ ପଳାଇ ଯାଇଥିଲା। ପରେ ଗ୍ରାମ ନିକଟରେ ବିଲରେ ଚାଷ କାମ କରୁଥିବା ୫ଜଣଙ୍କ ଉପରେ ଉକ୍ତ ବାର୍‌ହା ଆକ୍ରମଣ କରିଥିଲା। ଗ୍ରାମବାସୀ ବାର୍‌ହା ପିଚ୍ଛା କରିଥିଲେ ମଧ୍ୟ ତାକୁ କାବୁ କରିପାରି ନ ଥିଲେ। ଅନ୍ୟପକ୍ଷରେ ଆହତ ୭ଜଣଙ୍କୁ ଗ୍ରାମବାସୀ ଉଦ୍ଧାରକରି ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସା କରାଇଥିଲେ। ସେଠାରୁ ଗୁରୁତର ୪ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳର ଚନ୍ଦ୍ରମଣିପୁର, ଅଲାରିଗଡ଼, ବଳରାମପୁର, ଲକ୍ଷ୍ମୀପୁର, ପାଣ୍ଡିଆଝୋଳି ପ୍ରଭୃତି ଗ୍ରାମରେ ବାର୍‌ହା ଉପଦ୍ରବ ହେଉଥିବା ଅଭିଯୋଗ ହେଉଛି।