ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଶୁକ୍ରବାର ଓ ଶନିବାର ପର୍ଯ୍ୟାୟକ୍ରମେ ୭ଟି ସ୍ଲୁଇସ ଗେଟ ଖୋଲାଯାଇଛି।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୫ଟି ଏବଂ ଦକ୍ଷିଣ ପାର୍ଶ୍ୱର ୩ଟି, ମୋଟ ୮ଟି ସ୍ଲୁଇସ ଗେଟ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏହାସହ ଆହୁରି ୫ଟି ସ୍ଲୁଇସ ଗେଟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ପୂର୍ବାହ୍ନ ସାଢ଼େ ୯ଟାରେ ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୮ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୫୪ ହଜାର ୦୬୯ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିଲା।

ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୧ ଲକ୍ଷ ୬୯ ହଜାର ୫୭୮ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏଥିରୁ ୮ଟି ସ୍ଲୁଇସ ଗେଟ ଜରିଆରେ ୧ ଲକ୍ଷ ୩୧ ହଜାର ୨୪୮ ଘନଫୁଟ ଜଳ ମହାନଦୀକୁ ଛଡ଼ାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ କେନାଲ, ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲ ଏବଂ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ ୩୮ ହଜାର ୩୩୦ ଘନଫୁଟ ଜଳ ନିଷ୍କାସନ ହେଉଛି।

ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଏବଂ ଜଳସ୍ତର ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା ବେଳେ ଆବଶ୍ୟକତା ଅନୁଯାୟୀ ଆହୁରି ଗେଟ ଖୋଲାଯିବାର ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

 

Share