Categories: ଜାତୀୟ

ତଓ୍ବାଙ୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ୭ ପ୍ରଶ୍ନ: କେବେ କରିବେ ମନ୍‌ କି ବାତ୍‌…

ନୂଆଦିଲ୍ଲୀ,୧୭।୧୨ : ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଘେରିବା ଆରମ୍ଭ କରିଛି। କଂଗ୍ରେସ ପ୍ରବକ୍ତା ଜୟରାମ ରମେଶ ଶନିବାର ମୋଦିଙ୍କୁ ୭ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ମନ୍‌ କି ବାତ କାର୍ଯ୍ୟକ୍ରମରେ ଦେବାକୁ ସେ ଦାବି କରିଛନ୍ତି। ଏହାର ଉତ୍ତର ଦେବା ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ କର୍ତ୍ତବ୍ୟ ତଥା ନୈତିକ ଦାୟିତ୍ୱ ବୋଲି ସେ କହିଛନ୍ତି।
ସେ ପଚାରିଛନ୍ତି ୨୦୨୦ ଜୁନ୍‌ ୨୦ରେ କାହିଁକି ଆପଣ କହିଲେ କୌଣସି ଅନୁପ୍ରବେଶ ହୋଇ ନାହିଁ। ଚାଇନା ଅନୁପ୍ରବେଶକୁ ଆପଣ ଜାଣିଶୁଣି କାହିଁକି ଅନୁମତି ଦେଲେ।

୧୭ ଜୁଲାଇ ୨୦୧୩ରେ କ୍ୟାବିନେଟ ସ୍ବୀକୃତି ପ୍ରାପ୍ତ ମାଉଣ୍ଟେନ ଷ୍ଟ୍ରାଇକ୍‌ କୋର ଯୋଜନାକୁ କାହିଁକି ଅଣଦେଖା କରାଗଲା। ଚାଇନା କମ୍ପାନୀଙ୍କୁ କାହିଁକି ପିଏମ୍‌ କେୟାର୍ସ ଫଣ୍ଡରେ ଯୋଗଦାନ କରିବାର ଅନୁମତି ପ୍ରଦାନ କରାଗଲା। ଗତ ୨ ବର୍ଷ ମଧ୍ୟରେ ଚାଇନାରୁ ଆମଦାନି କାହିଁକି ରେକର୍ଡସ୍ତରରେ ପହଞ୍ଚିଲା। ଭାରତ ଚାଇନା ସୀମା ବିବାଦ ପ୍ରସଙ୍ଗରେ ସଂସଦରେ କାହିଁକି ବିତର୍କ କରାଯାଉ ନାହିଁ।

ଦୁଇଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ୧୮ ଥର ହେବା ସହିତ ଆପଣ କିଛି ଦିନ ତଳେ ଚାଇନା ରାଷ୍ଟ୍ରପତି ଶି ଜିନ ପିଙ୍ଗଙ୍କ ସହିତ କରମର୍ଦ୍ଦନ କରିଛନ୍ତି। ଏହା ପରେ ତଓ୍ବାଙ୍ଗରେ ଦୁଇ ପକ୍ଷ ସୈନ୍ୟଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହୋଇଛି। ଏହି ପ୍ରସଙ୍ଗରେ ଦେଶବାସୀଙ୍କୁ ସତ୍ୟ ତଥ୍ୟ କାହିଁକି ପ୍ରଦାନ କରାଯାଉ ନାହିଁ ବୋଲି ରମେଶ ପ୍ରଶ୍ନ କରିଛନ୍ତି।

Share