୭ ମହିଳାଙ୍କ ସମେତ ୧୯ ଗିରଫ

ବ୍ରହ୍ମଗିରି,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଡିହ ଭୋଇସାହିରେ ରବିବାର ପାଣି ପାଇପ ସଂଯୋଗକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ଦୁଇଟି ମାମଲା(ନଂ.୧୬୭, ୧୬୮/୨୦) ରୁଜୁ କରିଥିବାବେଳେ ୭ ମହିଳା ଓ ୧୨ ଜଣ ପୁରୁଷଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଡିହ ଭୋଇସାହିରେ ନିରଞ୍ଜନ ଭୋଇ ଓରଫ ନୀଳା ଓ ମହେନ୍ଦ୍ର ଭୋଇଙ୍କ ପରିବାର ମଧ୍ୟରେ ଏକ ଜାଗାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ରବିବାର ସକାଳୁ ମହେନ୍ଦ୍ର ଘରକୁ ପାଣି ସଂଯୋଗ କରିବାକୁ ଗାତ ଖୋଳୁଥିବା ବେଳେ ଦୁଇ ପରିବାରର ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବଚସା ବଢ଼ିବାରୁ ପୁରୁଷମାନେ ଏଥିରେ ସାମିଲ ହୋଇ ଖଣ୍ଡା, ଭୁଜାଲି, କୁରାଢ଼ି ଓ ତେଣ୍ଟା ଧରି ଆକ୍ରମଣ କରିଥିଲେ। ଏଥିରେ ଉଭୟ ପରିବାରର ସୁରେନ୍ଦ୍ର ଓ କାଳୁଙ୍କ ମୃତ୍ୟୁ ହେବା ସହ ୧୪ଜଣ ଗୁରୁତର ହୋଇଥିଲେ। ଖବରପାଇ ପୋଲିସ ଓ ପୁରୀ ଏସପି ଅଖିଳେଶ୍ୱର ସିଂ ଘଟଣାସ୍ଥଳରେ ପହଞ୍ଚତ୍ ସଂଘର୍ଷରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଥିଲେ। ଉଭୟ ପକ୍ଷର ଅଭିଯୋଗକ୍ରମେ ୨ଟି ମାମଲା ରୁଜୁ କରି ୧୯ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଉକ୍ତ ଗୋଷ୍ଠୀର ସମସ୍ତ ସଦସ୍ୟ ଜେଲ ଓ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ଯୋଗୁ ସାହିଟି ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ିଛି।

 

୨ ପୁତୁରାଙ୍କୁ ହରାଇ କାନ୍ଦୁଛନ୍ତି ଲତା, ନାବନା

ନିଜ ଜିଦ୍‌ ପାଇଁ ମଣିଷ କିପରି ହିଂସ୍ର ହୋଇ ଉଠେ ଏବଂ ନିଜ ସମ୍ପର୍କୀୟଙ୍କ ଜୀବନ ନେଇଯାଏ, ତାହାର ନିଚ୍ଛକ ଚିତ୍ର ଡିହ ଭୋଇସାହିରେ ଦେଖିବାକୁ ମିଳିଛି। ସାମାନ୍ୟ ପାଣି ସଂଯୋଗକୁ ନେଇ ହୋଇଥିବା ରକ୍ତ ସଂଘର୍ଷରେ ଦୁଇ ପରିବାରର ୨ଜଣ ଭେଣ୍ଡିଆ ପୁଅଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ପରିବାର କେତେଜଣ ସଦସ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ଆଉ କେତେଜଣଙ୍କୁ ପୋଲିସ ବାନ୍ଧି ନେଇଯାଇଛି। ଫଳରେ ଏହି ଘଟଣାଠାରୁ ଦୂରରେ ଥିବା ୨ପରିବାରର ଲତା ଭୋଇ (୭୫) ଓ ନାବନା ବେୱା (୯୦) ନିଜର ୨ ପୁତୁରାଙ୍କୁ ହରାଇ ଗୁମୁରି କାନ୍ଦୁଛନ୍ତି। ଲତା ହେଉଛନ୍ତି ମହେନ୍ଦ୍ରଙ୍କ ପରିବାରର। ସଂଘର୍ଷରେ ତାଙ୍କର ପୁତୁରା ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ପୁଅକୁ ପୋଲିସ ଗିରଫ କରିଛି। ପାଖରେ ରହିଛି କେବଳ ୭ ବର୍ଷର ନାତୁଣୀ ପ୍ରଭାତି ା ଘରେ ଅନ୍ୟ କେହି ନ ଥିବାରୁ ନାତୁଣୀଙ୍କୁ ଧରି ପିଲାଙ୍କ କଥା ଭାବି କେବଳ ବାହୁନି କାନ୍ଦୁଛନ୍ତି। ସେହିପରି ନୀଳାଙ୍କ ପରିବାରର କାଳୁ ଭୋଇଙ୍କ ମୃତ୍ୟୁ ପରେ ସମସ୍ତ ସଦସ୍ୟଙ୍କୁ ପୋଲିସ ଗିରଫ କରିନେଇଛି। ଘରେ ଜଗି ରହିଛନ୍ତି ପକ୍ଷାଘାତରେ ପୀଡ଼ିତ ଥିବା ନାବନା। ନିଜର ଏକ ପୁତୁରା ମରିଯାଇଥିଲେ ମଧ୍ୟ ସେ ଘଟଣା ସମ୍ପର୍କରେ କିଛି ଜାଣି ପାରି ନାହାନ୍ତି। ଉଠିବାର ସାମର୍ଥ୍ୟ ନ ଥିବା ସମୟରେ ଘରେ କୌଣସି ସଦସ୍ୟ ନ ଥିବାରୁ ଭୋକ ଉପାସରେ ଆଉଟ ପାଉଟ ହେଉଛନ୍ତି। ପରିବାରର କାହାକୁ ନ ପାଇ କେବଳ ଗୁମୁରି କାନ୍ଦୁଥିବା ଦୃଶ୍ୟ ହୃଦୟ ବିଦାରକ ହୋଇପଡିଛି।