ବନ୍ଦର ଅବ୍ବାସ,୨୩ା୧୦: ହର୍ମୁଜରେ ବୁଧବାର ରାତିରେ ଇରାନର ଆକ୍ରମଣ କିମ୍ବା ସାମରିକ ମାଇନ୍ସ ଧକ୍କା ଯୋଗୁ ୭ଟି ତୈଳ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି କିମ୍ବା ସେଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ବୋଲି ଗୁରୁବାର ତେହେରାନ ପକ୍ଷରୁ କୁହାଯାଇଛି । ଏତେ ବଡ଼ ସଂଖ୍ୟାରେ ଜାହାଜ ଉପରେ ହୋଇଥିବା ଆକ୍ରମଣର ରିପୋର୍ଟ ପୁନର୍ବାର ଏକ ପୂର୍ଣ୍ଣକାଳୀନ ଯୁଦ୍ଧର ଆଶଙ୍କାକୁ ବଢ଼ାଇ ଦେଇଛି। ଇସ୍ରାଏଲ ନିର୍ବାଚନକୁ ମାତ୍ର କିଛି ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ଷମତା ହରାଇବାର ସମ୍ଭାବନା ରହିଛି। ଅପରପକ୍ଷରେ ଆସନ୍ତା ମାସରେ ହେବାକୁ ଥିବା ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପୂର୍ବର ଯୁଦ୍ଧ ସମ୍ପର୍କିତ ଦରଦାମ ବୃଦ୍ଧି ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ପୁନର୍ବାର ଆକ୍ରମଣ ଆରମ୍ଭ ହୋଇପାରେ ବୋଲି ଚିନ୍ତା ବଢ଼ିବାରେ ଲାଗିଛି।
ଇରାନର ସରକାରୀ ଟେଲିଭିଜନ ଇସଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍ପସର ନୌସେନା ସୂତ୍ରରୁ ଏହି ସାମ୍ପ୍ରତିକ ଜାହାଜ ଆକ୍ରମଣ ବିଷୟରେ ସୂଚନା ମିଳିଛି। ୱାଶିଂଟନ ଯଦି ବାଣଜି୍ୟକ ଜାହାଜଗୁଡ଼ିକୁ ଏହି ପ୍ରଣାଳୀ ଦେଇ ଯିବାଆସିବା କରିବାରେ ସହାୟତା ଜାରି ରଖେ ତେବେ ଏହି ବାହିନୀ ଆଞ୍ଚଳିକ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବ ବୋଲି ପୁନର୍ବାର ଚେତାବନୀ ଦେଇଛି। ତେବେ ଏହି ରିପୋର୍ଟରେ କୌଣସି ମୃତାହତଙ୍କ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ମନିଟର ‘ୟୁନାଇଟେଡ କିଙ୍ଗ୍ଡମ ମାରିଟାଇମ ଟ୍ରେଡ ଅପରେସନ୍ସ’ ଏହି ଘଟଣାଗୁଡ଼ିକ ସମ୍ପର୍କରେ ରିପୋର୍ଟ କରିନାହିଁ। ଇରାନ ଏକ ନୂତନ ପ୍ରସ୍ତାବ ଦେଇଛି, ଯାହା ଅଧୀନରେ ଆମେରିକା କେତେକ ସର୍ତ୍ତ ପୂରଣ କଲେ ସେ ଯୁଦ୍ଧ ସମାପ୍ତ କରିବ ଏବଂ ସପ୍ତାହେ ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ଖୋଲିଦେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ୭ ଦିନିଆ ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।