ଫେରିଗଲେ ୭ଲକ୍ଷ ବିଦେଶୀ ପକ୍ଷୀ

ବାଲୁଗାଁ,୨୭।୨(ଡି.ଏନ୍‌.ଏ.): ଗ୍ରୀଷ୍ମ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଚିଲିକାରୁ ବିଦେଶାଗତ ପକ୍ଷୀ ଏବେ ସ୍ବଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଶନିବାର ସୁଦ୍ଧା ଚିଲିକାରୁ ୭ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶ ପକ୍ଷୀ ସ୍ବଦେଶ ଫେରିଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ଶରତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
ବିଳମ୍ବରେ ଶୀତର ଆଗମନ ହୋଇଥିଲା। ଗତ ନଭେମ୍ବରରୁ ଚିଲିକାକୁ ବିଦେଶାଗତ ପକ୍ଷୀ ଆସିବାକୁ ଲାଗିଥିଲେ। ଶୀତ ଋତୁରେ ଅତ୍ୟଧିକ ହିମ ପ୍ରବାହରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଓ ନିରାପଦ ବାସସ୍ଥାନ ଅନ୍ବେଷଣରେ ରଙ୍ଗବେରଙ୍ଗର ପ୍ରଜାତିର ପକ୍ଷୀ ସବୁ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି। ବର୍ଷାଦିନେ ଜନ୍ମ ନେଇଥିବା ଗୁଳ୍ମଜାତୀୟ ଉଦ୍ଭିଦ ଓ ଛୋଟ ଛୋଟ ମାଛ, କଙ୍କଡ଼ା, ଜଳଚର କୀଟପତଙ୍ଗ ଆଦି ଏହି ପକ୍ଷୀଙ୍କ ପ୍ରଧାନ ଆହାର ପାଲଟିଥାଏ। ଅଭୟାରଣ୍ୟ ନଳବଣକୁ ପକ୍ଷୀମାନେ ନିରାପଦ ବାସସ୍ଥାନ ଭାବେ ଗ୍ରହଣ କରିଥାନ୍ତି। ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି ଚିଲିକା ଅଞ୍ଚଳରେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ହୋଇଥାଏ। ପୁନର୍ବାର ଫେବୃୟାରୀରେ ଗ୍ରୀଷ୍ମ ଛୁଇଁବା ମାତ୍ରେ ଏହି ପକ୍ଷୀ ଭିଟାମାଟିକୁ ଫେରିବା ଆରମ୍ଭ କରିଥାନ୍ତି। ଚଳିତ ବର୍ଷ ଚିଲିକାରେ ମୋଟ ୧୦ଲକ୍ଷ ୭୪ହଜାର ୧୭୩ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ସେଥିରୁ ଅଭୟାରଣ୍ୟ ନଳବଣରେ ୩ଲକ୍ଷ ୫୮ହଜାର ୮୮୯ଟି ପକ୍ଷୀଙ୍କ ସମାଗମ ହୋଇଥିଲା ବୋଲି ଗତ ଜାନୁୟାରୀ ୪ତାରିଖରେ ବିଭାଗୀୟ ଗଣନାରୁ ଜଣାପଡିଥିଲା। ପୂର୍ବରୁ ଚିଲିକାରେ ଚିହ୍ନଟ ୨୨୦ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା। ଚଳିତ ବର୍ଷ ପ୍ରଜାତି ସଂଖ୍ୟା ହ୍ରାସ ପାଇ ୧୮୩ରେ ପହଞ୍ଚତ୍ଥିଲା। ତେବେ ବର୍ତ୍ତମାନ ସମଗ୍ର ଚିଲିକାରେ ମୋଟ ୧୦୬ ପ୍ରଜାତିର ୩ଲକ୍ଷ ୮୮ହଜାର ୧୨୦ଟି ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ଶୁକ୍ରବାର ବିଭାଗୀୟ ଆକଳନରୁ ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୟୁରାସିଆନ୍‌ ୟୁଜିଅନ୍‌, ପିଣ୍ଟେଲ୍‌, ଗଡ଼ୱିଟ୍‌, ସୋଭଲର, ଗଡ଼ଓ୍ବାଲ୍‌ ଓ ଫ୍ଲେମିଙ୍ଗୋ ଆଦି ପ୍ରଜାତି ସର୍ବାଧିକ ଅଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଚିଲିକାରୁ ପ୍ରାୟତଃ ଦେଶୀୟ ପକ୍ଷୀଙ୍କୁ ବାଦ୍‌ ଦେଲେ ବିଦେଶାଗତ ପକ୍ଷୀ ସମୂହ ଫେରିଯିବେ।