୨ ବ୍ଲକରେ ୭ ପରିବାର ବେଘର

ପଟ୍ଟାଙ୍ଗି/ଜୟପୁର,୨୦ା୩ (ଡି.ଏନ.ଏ./ ନି.ପ୍ର.): ପଶ୍ଚିମା ଘୂର୍ଣ୍ଣିଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଏଥିଯୋଗୁ ଗତ ୪ଦିନ ଧରି ପାଗ ମେଘୁଆ ରହି ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ ଘଡି ସହ ବର୍ଷା ହୋଇଛି । ବର୍ଷା ଓ ପବନ ଯୋଗୁ ଜିଲାର ଅନେକ ସ୍ଥାନରେ ଘର ଭାଙ୍ଗିଛି । ପଟ୍ଟାଙ୍ଗି ବ୍ଲକ ସମେତ ବିଭିନ୍ନ ଗ୍ରାମରେ ଗତ ଦୁଇ ଦିନ ଧରି କୁଆପଥର ସହ ବର୍ଷା ହୋଇଥିଲା। ରବିବାର ବ୍ଲକର କେତେକ ସ୍ଥାନରେ ପ୍ରବଳ ବେଗରେ ପବନ ବୋହିଛି। କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ପବନ ଓ ବର୍ଷା ଯୋଗୁ ବ୍ଲକର ଚନ୍ଦକା ପଞ୍ଚାୟତ ତଳଖରାଢାବା ଗ୍ରାମରେ ୪ଟି ପରିବାରର ଘର ଛପର ସମ୍ପୂର୍ଣ୍ଣ ଉଡିଯାଇଛି। କ୍ଷତିଗ୍ରସ୍ତ ପରିବାର ହେଲେ ବିଶୁ ମାରି, ସାଙ୍ଗୁ ମାରି, ସମିର ମାରି ଏବଂ ସାନୁ ମାରି। ଘରର ଛପର ସମ୍ପୂର୍ଣ୍ଣ ଉଡିଯିବାରୁ ଘରେ ପାଣି ବର୍ଷାପାଣି ପଡି ସମସ୍ତ ଆସବାବପତ୍ର ଏବଂ ଗଚ୍ଛିତ ଧାନ,ମାଣ୍ଡିଆ ନଷ୍ଟ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଖବର ପାଇ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଜିଲା ପରିଷଦ ସଭ୍ୟ ଲଇଚନ ଖରା, ସରପଞ୍ଚ ଦେବକୀ ଗଣ୍ଡ, ରାଜସ୍ବ ନିରୀକ୍ଷକ ପ୍ରମୋଦ ବେହେରା, ପିଇଓ ଦାମଦୋର ଦିଶାରି ପ୍ରମୁଖ ଗ୍ରାମରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ କିଲୋ ଲେଖାଏ ଚାଉଳ ଓ ପଲିଥିନ ପ୍ରଦାନ କରାଯାଇଛି। ଏହି କ୍ଷତିଗ୍ରସ୍ତ ପରିବାରଗୁଡିକୁ ସରକାରଙ୍କ ନିୟମାନୁଯାୟୀ ସହାୟତା ମିଳିବ ବୋଲି ତହସିଲଦାର ଧାରୁଆ କହିଛନ୍ତି। କ୍ଷତିଗ୍ରସ୍ଥ ପରିବାରଙ୍କୁ ଗ୍ରାମବାସୀ ମଧ୍ୟ ସହଯୋଗ କରଛନ୍ତି। ସୂଚନାଯୋଗ୍ୟ ଶନିବାର ଦଶମନ୍ତପୁର ବ୍ଲକ ଡୁମ୍ବଗୁଡ଼ା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ ଝଡବର୍ଷାରେ ୮ ପରିବାରର ଘର ଆଜବେଷ୍ଟସ ଉଡିଯାଇ ସମ୍ପୃକ୍ତ ପରିବାରଗୁଡିକର ଘରେ ଗଛିତ ଥିବା ଚାଉଳ,ଧାନ ମାଣ୍ଡିଆ ଏବଂ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି।
ସେହିପରି ଜୟପର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତର ଦଣ୍ଡସେନାଗୁଡାରେ ଗଛ ପଡି ୩ଟି ଘର ଭାଙ୍ଗିଛି ା ଶନିବାର ରାତିରେ ପ୍ରବଳ ବର୍ଷାପବନ ହେବାରୁ ପର୍ଶୁରାମ ତନ୍ତି, ଗଣେଷ ତନ୍ତି, ହରେକୃଷ୍ଣ ତନ୍ତିଙ୍କ ପରିବାର ଲୋକେ ଶୋଇଥିବା ବେଳେ ସେମାନଙ୍କ ଘର ଉପରେ ଗଛ ପଡିଯାଇଥିଲା। ତେବେ ସମ୍ପୃକ୍ତ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାହାର କିଛି କ୍ଷତି ହୋଇନାହିଁ। ଏନେଇ ସୂଚନା ପାଇ ସମାଜିକ କର୍ମୀ ବି.ହରି ରାଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। କର୍ମଚାରୀମାନେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିଥିବା ଜଣାପଡିଛି।