Categories: ଜାତୀୟ

ଆମ୍ବୁଲାନ୍ସ-କ୍ୟାଣ୍ଟର ମୁହାଁମୁହିଁ ଧକ୍କା: ଚାଲିଗଲା ୭ ଜୀବନ

ଲକ୍ଷ୍ନୌ,୩୧।୫: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
ବରେଲି ଜିଲାର ଫତେହଗଞ୍ଜ ପୋଲିସ ଷ୍ଟେଶନରେ ଜାତୀୟ ରାଜପଥର ଶଙ୍କରା ବ୍ରିଜ ନିକଟରେ ଆମ୍ବୁଲାନ୍ସ ଏବଂ କ୍ୟାଣ୍ଟର କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସରେ ବସିଥିବା ୭ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାନୁସାରେ, ମଙ୍ଗଳବାର ସକାଳେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରୁ ରୋଗୀ ନେଇ ପିଲିଭିତ୍‌କୁ ଯାଉଥିବା ଏକ ଆମ୍ବୁଲାନ୍ସ ଡିଭାଇଡର୍‌ ଉପରେ ଚଢି ଯାଇ କ୍ୟାଣ୍ଟର (ମିନି ଟ୍ରକ)ରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ହେଉଛନ୍ତି ପିଲିଭିତ୍‌ର ବାସିନ୍ଦା। ଆମ୍ବୁଲାନ୍ସ ଡ୍ରାଇଭର୍‌ ଶୋଇପଡିଥିବା ଯୋଗୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଏହି ସଡ଼କ ଦୁର୍ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Share