ଅପହରଣର ୭ ଦିନ ପରେ ଫେରିଲେ ଜୁନିୟର ଇଞ୍ଜିନିୟର

ମାଲକାନଗିରି,୧୭ା୧୧(ଡି.ଏନ୍‌.ଏ.): ବୁଧବାର ମାଓବାଦୀମାନେ ଅପହରଣ କରି ନେଇଥିବା କନିଷ୍ଠଯନ୍ତ୍ରୀ ଅଜୟ ରୋଶନ ଲାକ୍ରାଙ୍କୁ ଛାଡି ଦେଇଛନ୍ତି। ସ୍ବାମୀଙ୍କ ଅପହରଣ ପରେ ତାଙ୍କ ମୁକ୍ତି ପାଇଁ ପ୍ରଶାସନ ଆଗେଇ ନ ଆସିବାରୁ ସ୍ତ୍ରୀ ଅର୍ପିତା ଏ ଦିଗରେ ଅଣ୍ଟା ଭିଡିଥିଲେ। ୩ ବର୍ଷର ପୁଅକୁ ଧରି ସ୍ବାମୀଙ୍କୁ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ। ଶେଷରେ ଅର୍ପିତାଙ୍କ ନିବେଦନ ଶୁଣି ମାଓବାଦୀମାନେ କନିଷ୍ଠଯନ୍ତ୍ରୀ ଅଜୟଙ୍କୁ ଛାଡିଛନ୍ତି। ଉଭୟେ ସ୍ତ୍ରୀ ସ୍ବାମୀ ଘରକୁ ଫେରିଛନ୍ତି।

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ମନଖଲି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାର୍ଯ୍ୟର ତଦାରଖ ଲାଗି କନିଷ୍ଠ ଯନ୍ତ୍ରୀ ଅଜୟ ଚତୁର୍ଥଶ୍ରେଣୀ କର୍ମଚାରୀ ଲକ୍ଷ୍ମଣ ପିତାଗିରିଙ୍କୁ ଧରି ଯାଇଥିଲେ। ସେଠାରୁ ମାଓବାଦୀମାନେ ଦୁଇ କର୍ମଚାରୀଙ୍କୁ ଅପହରଣକରି ନେଇଥିଲେ। ପରବର୍ତ୍ତୀ ସମୟରେ ପ୍ରଜାକୋର୍ଟ କରି ଲକ୍ଷ୍ମଣଙ୍କୁ ମାଓବାଦୀମାନେ ଛାଡ଼ି ଦେଇଥିବା ବେଳେ ଅଜୟଙ୍କୁ ଛାଡ଼ି ନ ଥିଲେ। ତାଙ୍କୁ ଅପହରଣ ପରେ ମୁକୁଳାଇବା ଲାଗି ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ମାଓବାଦୀଙ୍କ ନିକଟରେ ନିଜ ସିନ୍ଦୂର ଭିକ୍ଷା କରି ତାଙ୍କୁ ମୁକୁଳାଇ ଜଙ୍ଗଲ ଅଭିମୁଖେ ବାହାରିଥିଲେ। ତାଙ୍କ ଏହି ଉଦ୍ୟମ ଏବେ ସଫଳ ହୋଇଛି।