ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ୧୧ କେଭି ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ୭ଟି ମଇଁସିଙ୍କ ମୃତ୍ୟୁ ଘଟିଛି। ମୃତ ମଇଁସିଗୁଠିକ ଘଣାଶାଳିଆର ଗୋପାଳକ ବୀର ବେହେରାଙ୍କ ସ୍ତ୍ରୀ ନିରୁପମା ବେହେରାଙ୍କ ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ମଇଁଷିଗୁଡିକ ନିକଟସ୍ଥ କୁମୁଣ୍ଡି ଅଞ୍ଚଳରେ ଥିବା ବିଲକୁ ଚରିବାକୁ ଯାଇଥିଲେ। ସେତିକିବେଳେ ଉକ୍ତ ଜମି ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡି ଜମିରେ ପଡ଼ିରହି ଥିବା ବେଳେ ମଇଁସି ଗୋଠର ୭ମଇଁସି ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
ଅନ୍ୟପକ୍ଷେ ଘଟଣାର ଦୀର୍ଘ ସମୟ ପରେ ମଧ୍ୟ ବିଦ୍ୟୁତ୍ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତେଜିତ ଗ୍ରାମବାସୀ କଣ୍ଟିଲୋ-ଗଣିଆ ୪୮ ନମ୍ବର ରାଜ୍ୟ ରାଜପଥ କୁମୂଣ୍ଡି-ରତନପୁର ଗ୍ରାମ ନିକଟରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ।
ଖବର ପାଇ କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ବାଗତ ଦାସ ଏବଂ ଖଣ୍ଡପଡ଼ା ଆଇଆଇସି କୃତିବାସ ହରିଚନ୍ଦନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀାନେ ଗୋପାଳକଙ୍କୁ କ୍ଷତିପୂରଣ ଦେବାକୁ ଅଡି ବସିଥିଲେ। ଏପରିକି ବିଭାଗୀୟ ଅଧିକାରୀଙ୍କ ଅବହେଲା ଯୋଗୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଗୋଟିଏ ଗୋଟିଏ ମଇଁସିର ଦାମ ୭୦ରୁ ୮୦ ହଜାର ଟଙ୍କା ହୋଇଥିବା ବେଳେ ସେଥିମଧ୍ୟରୁ ୩ଟି ଗର୍ଭବତୀ ମଇଁସି ଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଟିପିସିଓଡିଏଲ ଖଣ୍ଡପଡ଼ା ଉପଖଣ୍ଡ ସହକାରୀ ଯନ୍ତ୍ରୀ ଅନିଲ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ଘଟଣାସ୍ଥଳକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଯିବ। ଘଟଣାର ତଦନ୍ତ ପରେ ବିଭାଗୀୟ ଆଇନ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ଯୋଗାଇଦିଆଯିବ ବୋଲି ସେ କହିଛନ୍ତି।