ନୂଆଦିଲ୍ଲୀ,୩୧।୭: E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ ଦେଇଛି । ମନ୍ତ୍ରଣାଳୟ କହିଛି ଯେ, E୨୦ ପେଟ୍ରୋଲକୁ ନେଇ ପ୍ରଚାରିତ ହେଉଥିବା ଅଧିକାଂଶ ଦାବିର କୌଣସି ବୈଷୟିକ ଆଧାର ନାହିଁ ।
ସରକାରଙ୍କ ସୂଚନା ଅନୁଯାୟୀ, E୧୫ରୁ ଅଧିକ ଇଥାନଲ ମିଶ୍ରିତ ପେଟ୍ରୋଲ ପ୍ରାୟ ସାଢ଼େ ୩ ବର୍ଷ ଏବଂ E୧୯-E୨୦ ପେଟ୍ରୋଲ ପ୍ରାୟ ଅଢ଼େଇ ବର୍ଷ ଧରି ଦେଶରେ ବ୍ୟବହୃତ ହେଉଛି। ଏହି ସମୟ ମଧ୍ୟରେ ଇଥାନଲ କାରଣରୁ ଇଞ୍ଜିନ୍ ନଷ୍ଟ ହେବା କିମ୍ବା ବହୁ ସଂଖ୍ୟକ ଗାଡ଼ିରେ ତ୍ରୁଟି ଦେଖାଦେବାର କୌଣସି ପ୍ରମାଣିତ ଘଟଣା ସାମ୍ନାକୁ ଆସିନାହିଁ। ମନ୍ତ୍ରଣାଳୟ କହିଛି ଯେ, ଯଦି ପ୍ରକୃତରେ E୨୦ ଯୋଗୁଁ ଇଞ୍ଜିନ୍ ସମସ୍ୟା ସୃଷ୍ଟି ହୋଇଥାନ୍ତା, ତେବେ ବଡ଼ ପରିମାଣରେ ୱାରେଣ୍ଟି କ୍ଲେମ୍, ସର୍ଭିସ୍ କ୍ୟାମ୍ପେନ୍ ଓ ଗ୍ରାହକ ଅଭିଯୋଗ ଦେଖିବାକୁ ମିଳିଥାନ୍ତା। କିନ୍ତୁ ଏଭଳି କୌଣସି ପରିସ୍ଥିତି ଦେଖାଯାଇନାହିଁ।
ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ ବ୍ଲେଣ୍ଡିଂକୁ ପର୍ଯ୍ୟାୟକ୍ରମେ ବଢ଼ାଯାଇଛି, ଏକାଥରେ ନୁହେଁ। ୨୦୧୩-୧୪ରେ ଏହାର ହାର ୧.୫୩% ଥିବାବେଳେ ୨୦୨୦-୨୧ରେ ୮.୧%, ୨୦୨୧-୨୨ରେ ପ୍ରାୟ ୧୦%, ୨୦୨୨-୨୩ରେ ୧୨%, ୨୦୨୩-୨୪ରେ ୧୪.୬%, ୨୦୨୪-୨୫ରେ ୧୯.୨% ଏବଂ ୨୦୨୫-୨୬ରେ ନଭେମ୍ବରଠୁ ଜୁନ ମଧ୍ୟରେ ୨୦%ରେ ପହଞ୍ଚିଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଦେଶରେ ଇଥାନଲ ବ୍ଲେଣ୍ଡିଂ କାର୍ଯ୍ୟକ୍ରମ ୨୦୦୧ରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିଲା ଏବଂ ୨୦୦୬ରେ E୫ ପେଟ୍ରୋଲ ଲାଗୁ କରାଯାଇଥିଲା। ବର୍ଷକ୍ରମେ ଏହାର ମାତ୍ରା ବୃଦ୍ଧି କରାଯାଇ E୨୦ ପର୍ଯ୍ୟନ୍ତ ପହଞ୍ଚାଯାଇଛି।
E୨୦ ପେଟ୍ରୋଲକୁ ନେଇ ମାଇଲେଜ୍ କମିବା ଦାବି ଉପରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, କୌଣସି ଗାଡ଼ିର ମାଇଲେଜ୍ କେବଳ ଇନ୍ଧନ ଉପରେ ନିର୍ଭର କରେ ନାହିଁ। ଡ୍ରାଇଭିଂ ଶୈଳୀ, ଟ୍ରାଫିକ୍ ସ୍ଥିତି, ଗାଡ଼ିର ରକ୍ଷଣାବେକ୍ଷଣ, ଟାୟାରର ବାୟୁଚାପ ଏବଂ ଏୟାର କଣ୍ଡିସନର (AC) ବ୍ୟବହାର ମଧ୍ୟ ମାଇଲେଜ୍କୁ ପ୍ରଭାବିତ କରିଥାଏ।
ସରକାରଙ୍କ ଅନୁସାରେ, E୧୦ ପାଇଁ ଡିଜାଇନ୍ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ E୨୦ ବ୍ୟବହାର କଲେ ମାଇଲେଜ୍ ପ୍ରାୟ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। ଏହି ପ୍ରସଙ୍ଗରେ ମାରୁତି ସୁଜୁକି ମଧ୍ୟ ମାଇଲେଜ୍ ପ୍ରାୟ ୩ରୁ ୩.୫ ପ୍ରତିଶତ କମିପାରେ ବୋଲି କହିଛି।
ତେବେ ମନ୍ତ୍ରଣାଳୟର ଦାବି ହେଉଛି, E୨୦ ପେଟ୍ରୋଲର ଅକ୍ଟେନ୍ ନମ୍ବର ଅଧିକ ଥିବାରୁ ଇଞ୍ଜିନ୍ରେ ଉନ୍ନତ ଇଗ୍ନିସନ୍ ହୋଇଥାଏ, ଯାହା ଫଳରେ ଇଞ୍ଜିନ୍ର କାର୍ଯ୍ୟକ୍ଷମତା ଓ ଗାଡ଼ିର ପିକଅପ୍ରେ ମଧ୍ୟ ସୁଧାର ଆସିପାରେ।