୭.୩% ଭାରତୀୟ ରଖିଛନ୍ତି ଡିଜିଟାଲ ମୁଦ୍ରା

ଜାତିସଂଘ, ୧୨ା୮:ଭାରତରେ ୨୦୨୧ରେ ମୋଟ ଜନସଂଖ୍ୟାର ୭.୩% ସେମାନଙ୍କ ନିକଟରେ ଡିଜିଟାଲ ମୁଦ୍ରା ରଖିଥିବା ଜାତିସଂଘ ଟ୍ରେଡ୍‌ ଆଣ୍ଡ୍‌ ଡେଭେଲପମେଣ୍ଟ ସଂସ୍ଥା ୟୁଏନ୍‌ସିଟିଏଡି କହିଛି। ଏହି ତାଲିକାରେ ୟୁକ୍ରେନ୍‌ ଶୀର୍ଷରେ ରହିଛି। ଏହାର ୧୨.୭% ଲୋକ ଡିଜିଟାଲ ମୁଦ୍ରାର ଅଧିକାରୀ। ୟୁକ୍ରେନ୍‌ ତଳକୁ ରୁଷିଆରେ ୧୧.୯%, ଭେନେଜୁଏଲା ୧୦.୩%, ସିଙ୍ଗାପୁର ୯.୪%, କେନିଆ ୮.୫% ଏବଂ ଆମେରିକାରେ ୮.୩% ଲୋକଙ୍କ ନିକଟରେ ଡିଜିଟାଲ କରେନ୍ସି ରହିଛି। ଜନସଂଖ୍ୟା ଦୃଷ୍ଟିରୁ କ୍ରିପ୍ଟୋକରେନ୍ସି ରଖିଥିବା ଟପ୍‌ ଅର୍ଥନୀତିର ୨୦ ଦେଶ ମଧ୍ୟରୁ ୧୫ଟି ବିକାଶଶୀଳ ଦେଶ ରହିଛି। ଏଥିରେ ଭାରତ ୭ମ ସ୍ଥାନରେ ସ୍ଥାନିତ ହୋଇଛି। କୋଭିଡ୍‌-୧୯ ମହାମାରୀବେଳେ ବିଶ୍ୱବ୍ୟାପୀ କ୍ରିପ୍ଟୋକରେନ୍ସି କାରବାର ବ୍ୟାପକମାତ୍ରାରେ ବୃଦ୍ଧି ପାଇଥିଲା। ତେବେ ଡିଜିଟାଲ କରେନ୍ସିର ମୂଲ୍ୟ ପ୍ରତି ମୁହୂର୍ତ୍ତରେ ବଦଳୁ ଥିବାରୁ ଏହା ଉଭୟ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବିପଜ୍ଜନକ ବୋଲି ବୁଧବାର ୟୁଏନ୍‌ସିଟିଏଡି ପକ୍ଷରୁ ପ୍ରକାଶିତ ‘ଅଲ୍‌ ଦ୍ୟାଟ୍‌ ଗ୍ଲିଟର୍ସ ଇଜ୍‌ ନଟ୍‌ ଗୋଲ୍ଡ’ (ସବୁ ଚମକୁଥିବା ଜିନିଷ ସୁନା ନୁହେଁ) ଶୀର୍ଷକ ରିପୋର୍ଟରେ କୁହାଯାଇଛି। କ୍ରିପ୍ଟୋକରେନ୍ସିର ବହୁଳ ବ୍ୟବହାର ହେଲେ ଏବଂ ଅଣଆନୁଷ୍ଠାନିକ ଭାବେ ଘରୋଇ ମୁଦ୍ରାର ସ୍ଥାନ ନେଲେ ତାହା ଦେଶର ଆର୍ଥିକ ସାର୍ବଭୌମତ୍ୱକୁ ବିପଦରେ ପକାଇବ ବୋଲି ଜାତିସଂଘ ସତର୍କ କରାଇଛି।

Share