Categories: ଜାତୀୟ

ଦୁନିଆର ଆଲୋକ ଦେଖି ପାରିବେନି ୬୮ ଲକ୍ଷ କନ୍ୟା: ମାତୃଗର୍ଭରେ କରାଯିବ ହତ୍ୟା !

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୮: ଦେଶରେ କନ୍ୟା ଭ୍ରୁଣ ହତ୍ୟା ଜାରି ରହିଛି। ସରକାରୀ ଆଇନ ଏକ୍ଷେତ୍ରରେ ବିଶେଷ ସଫଳ ହେଉ ନ ଥିବା କୁହାଯାଉଛି। ଏଭଳି ଧାରା ଜାରି ରହିଲେ ୨୦୩୦ ସୁଦ୍ଧା ୬୮ ଲକ୍ଷ କନ୍ୟା ଦୁନିଆର ଆଲୋକ ଦେଖିବାରୁ ବଞ୍ଚିତ ହେବେ। ମାତୃଗର୍ଭରେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୭ରୁ ୨୦୩୦ ମଧ୍ୟରେ ଏଭଳି ଘଟିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସୌଦି ଆରବର କିଙ୍ଗ୍‌ ଅବଦୁଲା ୟୁନିଭରସିଟି ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଲିଙ୍ଗ ନିରୂପଣ ଦ୍ୱାରା କେବଳ ଉତ୍ତରପ୍ରଦେଶରେ ଏହି ସମୟ ମଧ୍ୟରେ ୨୦ ଲକ୍ଷ କନ୍ୟା ଭ୍ରୁଣ ହତ୍ୟା କରାଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ପୁତ୍ର ସନ୍ତାନ ଆଶାରେ ଏଭଳି କାର୍ଯ୍ୟ କରାଯାଉଥିବା ବେଳେ ଆଗାମୀ ୧୦ ବର୍ଷ ଧରି ମଧ୍ୟ ଏହା ଜାରି ରହିବ ବୋଲି ରିପୋର୍ଟରେ କୁହାଯାଇଛି। ୧୯୯୪ରେ ସରକାର ଲିଙ୍ଗ ନିରୂପଣ କରିବାକୁ ଆଇନ ଅନୁସାରେ ଅପରାଧ ଘୋଷଣା କରିଥିଲେ। ତେବେ ବି ଦେଶର ୧୭ଟି ରାଜ୍ୟରେ ପୁତ୍ର ସନ୍ତାନ ପ୍ରତି ଦମ୍ପତିଙ୍କ ମଧ୍ୟରେ ଅଧିକ ଆଶା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଉତ୍ତରଭାରତରେ ଏଭଳି ସ୍ଥିତି ଭୟାନକ ରହିଛି। ଏହି ରିପୋର୍ଟ ପ୍ଲୋସ୍‌ ଓ୍ବାନ୍‌ ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି।

Share