ଇଣ୍ଡୋନେସିଆ ଗୁମ୍ଫାରେ ୬୭,୮୦୦ ବର୍ଷ ପୁରୁଣା ଚିତ୍ରକଳା: ବିଶ୍ୱର ସବୁଠାରୁ ପୁରାତନ…

ଜାକର୍ତ୍ତ,୩ା୬:ଇଣ୍ଡୋନେସିଆର ଦକ୍ଷିଣ-ପୂର୍ବ ସୁଲାୱେସି ଅନ୍ତର୍ଗତ ମୁନା ଦ୍ୱୀପର ‘ଲିଆଙ୍ଗ୍‌ ମେଟାଣ୍ଡୁନୋ’ ଗୁମ୍ଫାରୁ ଆବିଷ୍କୃତ ହୋଇଥିବା ଏକ ହାତର ଛାପ (ଷ୍ଟେନ୍‌ସିଲ୍ଡ ହ୍ୟାଣ୍ଡ୍‌)କୁ ବିଶ୍ୱର ସବୁଠାରୁ ପୁରାତନ ‘ଅଣ-ଆକୃତିଜନିତ ଚିତ୍ରକଳା’ (ନନ୍‌-ଫିଗୁରେଟିଭ୍‌ ପେଣ୍ଟିଂ) ଭାବେ ମାନ୍ୟତା ମିଳିଛି। ଏହି ପ୍ରକାର ଚିତ୍ରକଳାରେ କୌଣସି ମଣିଷ, ପ୍ରାଣୀ କିମ୍ବା ବାସ୍ତବ ଦୁନିଆ ଦୃଶ୍ୟର ସ୍ପଷ୍ଟ ଆକୃତି ନ ଥାଏ। ଏଥିରେ କେବଳ ବିଭିନ୍ନ ପ୍ରକାରର ଗାର, ବିନ୍ଦୁ, ରଙ୍ଗ କିମ୍ବା ହାତର ଛାପ ଭଳି ସାଙ୍କେତିକ ଚିହ୍ନ ବ୍ୟବହାର କରାଯାଇଥାଏ। ପ୍ରତ୍ନତତ୍ତ୍ୱ ବିଶେଷଜ୍ଞଙ୍କ ଅନୁସନ୍ଧାନ ଅନୁଯାୟୀ, ଏହି ପ୍ରସ୍ତର ଚିତ୍ରକଳାଟି ପ୍ରାୟ ୬୭,୮୦୦ ବର୍ଷରୁ ଅଧିକ ପୁରୁଣା। ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘ନେଚର୍‌’ରେ ଏହି ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇବା ପରେ ‘ଗିନିଜ ୱାଲର୍‌ଡ ରେକର୍ଡସ୍‌’ ପକ୍ଷରୁ ଏହାକୁ ପୃଥିବୀର ପ୍ରାଚୀନତମ ଅଣ-ଆକୃତିଜନିତ କଳାକୃତି ଭାବେ ସ୍ବୀକୃତି ଦିଆଯାଇଛି।
ଏହି ଐତିହାସିକ ଗବେଷଣାରେ ଇଣ୍ଡୋନେସିଆର ଜାତୀୟ ଅନୁସନ୍ଧାନ ଏବଂ ନବସୃଜନ ସଂସ୍ଥା (ବିଆର୍‌ଆଇଏନ୍‌)ର ପ୍ରତ୍ନ-ପରିମାପ (ଆର୍କିଓମେଟ୍ରି) ବିଶେଷଜ୍ଞ ଡ. ଅଧି ଅଗୁସ୍‌ ଓକ୍ଟାଭିଆନାଙ୍କ ସମେତ ଅଷ୍ଟ୍ରେଲିଆର ଗ୍ରୀଫିଥ୍‌ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଜ୍ଞାନ ଅଧ୍ୟାପକ ଆଡାମ୍‌ ବ୍ରୁମ୍‌ ଏବଂ ମ୍ୟାକ୍ସିମ ଅବର୍ଟ ସାମିଲ ଥିଲେ। ସୁଲାୱେସି ଗୁମ୍ଫାର ଚିତ୍ରକଳାଗୁଡ଼ିକର ସମୟ ନିରୂପଣ (ଡେଟିଂ) ପାଇଁ ୨୦୧୨ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ଏହି ଦଳ ଦ୍ୱୀପର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ କାମ କରୁଥିବାବେଳେ ପରବର୍ତ୍ତୀ ସମୟରେ ଦକ୍ଷିଣ-ପୂର୍ବ ଦ୍ୱୀପକଳ୍ପ ଏବଂ ମୁନା ଦ୍ୱୀପ ପର୍ଯ୍ୟନ୍ତ ନିଜ ଅନୁସନ୍ଧାନ ପରିସରକୁ ବୃଦ୍ଧି କରିଥିଲେ। ଡ. ଅଧି ୨୦୧୩ରେ ଏହି ପ୍ରକଳ୍ପର ମୁଖ୍ୟ କ୍ଷେତ୍ର ଗବେଷକ ଭାବେ ଯୋଗ ଦେଇଥିଲେ। ଗୁମ୍ଫା ଚିତ୍ରର ପ୍ରକୃତ ବୟସ ଜାଣିବା ପାଇଁ ଏହି ଅନୁସନ୍ଧାନକାରୀ ଦଳ ଜଣାଶୁଣା ଭୂ-କାଳ ନିରୂପଣ ବିଶେଷଜ୍ଞ (ଜିଓକ୍ରୋନୋଲୋଜିଷ୍ଟ) ରେନାଡ୍‌ ଜୋଆନେସ-ବୋୟାଉଙ୍କ ସହ ମିଶି ଅତ୍ୟାଧୁନିକ ତଥା ଠିକ୍‌ ସମୟ ନିରୂପଣ ପଦ୍ଧତି ବିକଶିତ କରିଥିଲେ। ପୂର୍ବରୁ ମଧ୍ୟ ଏହି ଅନୁସନ୍ଧାନକାରୀ ଦଳ ସୁଲାୱେସିର ଅନେକ ପ୍ରାଚୀନ ଗୁମ୍ଫା ଚିତ୍ର ଉପରେ ଗବେଷଣା କରିଥିଲା, କିନ୍ତୁ ଏହି ହାତ ଛାପ ଚିତ୍ରଟି ସବୁଠାରୁ ପୁରୁଣା ବୋଲି ପ୍ରମାଣିତ ହୋଇଛି, ଯାହା ପାଲିଓଲିଥିକ (ପୁରାତନ ପ୍ରସ୍ତର ଯୁଗ) ସମୟର।

 

Dharitri – Odisha’s No.1 Odia Daily

 

Share