Categories: ଜାତୀୟ

୬୭ ଏମ୍‌ପି-୨୯୬ ବିଧାୟକ ଅଯୋଗ୍ୟ ଘୋଷିତ ହେବା ଆଶଙ୍କା…

ନୂଆଦିଲ୍ଲୀ,୨୪।୮: ଦେଶର ୬୭ ଏମ୍‌ପି ଏବଂ ୨୯୬ ବିଧାୟକଙ୍କୁ ଏବେ ଅଯୋଗ୍ୟ ଘୋଷିତ ହେବା ଆଶଙ୍କା ଘାରିଛି। ସେମାନଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି। ଦୋଷୀ ସାବ୍ୟସ୍ତ ହେଲେ ଏମ୍‌ପି ଏବଂ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ଆଶଙ୍କା ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସମୁଦାୟ ୩୬୩ ଏମ୍‌ପି-ବିଧାୟକଙ୍କ ବିରୋଧରେ ଅପରାଧିକ ଅଭିଯୋଗ ରହିଛି। ଅଭିଯୋଗ ପ୍ରମାଣିତହେଲେ ଲୋକ ପ୍ରତିନିଧି ଅଧିନିୟମ ଅନୁଯାୟୀ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯିବ। ଲୋକ ପ୍ରତିନିଧି ଅଧିନିୟମର ଧାରା ୮ ଅନୁଯାୟୀ କେନ୍ଦ୍ର ତଥା ରାଜ୍ୟରେ ୩୯ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି। ଏଡିଆର ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରେ ୪ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ୩୫ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।
ଲୋକ ପ୍ରତିନିଧି ଅଧିନିୟମର ଧାରା ୮ର ଉପ-ଧାରା (୧), (୨) ଏବଂ (୩) ଅନୁସାରେ ସେମାନଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରାଯିବାର ଆଶଙ୍କା ରହିଛି। ନିର୍ବାଚନ ସଂସ୍କାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଡ୍ରାର୍‌ ଏବଂ ନ୍ୟାସନାଲ ଇଲେକ୍ସନ ୱାଚ, ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ୫୪୨ ଲୋକ ସଭା ସଦସ୍ୟ ଏବଂ ୧,୯୫୩ ବିଧାୟକଙ୍କ ସତ୍ୟପାଠ ବିଶ୍ଳେଷଣ କରିଥିଲେ। ରିପୋର୍ଟ ଅନୁଯାୟୀ, ୨,୪୯୫ ଏମ୍‌ପି ଏବଂ ବିଧାୟକଙ୍କ ମଧ୍ୟରୁ ୧୫ ପ୍ରତିଶତ ଅର୍ଥାତ୍‌ ୩୬୩ଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ ହୋଇଛି। ଭାଜପାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଡିଆର ରିପୋର୍ଟ ଅନୁଯାୟୀ, ଭାଜପା ଏମ୍‌ପି ଓ ବିଧାୟକଙ୍କ ସଂଖ୍ୟା ସର୍ବାଧିକ ରହିଛି। ଭାଜପାର ୮୩ ଏମ୍‌ ପି ଏବଂ ବିଧାୟକଙ୍କ ବିରୋଧରେ ମାମମଳା ରୁଜୁ ହୋଇଛି। ସେହିପରି କଂଗ୍ରେସରେ ୪୭ ଜଣ, ତୃଣମୂଳ କଂଗ୍ରେସର୨୫ ଜଣ ଅଛନ୍ତି। ବର୍ତ୍ତମାନର ଲୋକ ସଭାରେ ୨୪ ଏମ୍‌ପିଙ୍କ ବିରୋଧରେ ୪୩ରୁ ଅଧିକ ଅପରାଧିକ ମାମଲା ରହିଛି ବୋଲି ଏଡିଆର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୧୧ ଜଣ ବିଧାୟକଙ୍କ ବିରୋଧରେ ମୋଟ ୩୧୫ ଅପରାଧିକ ମାମଲା ୧୦ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି। ରାଜ୍ୟ ମଧ୍ୟରେ ବିହାରରେ ସର୍ବାଧିକ ୫୪ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ଏହା ପରେ କେରଳ ଦ୍ୱିତୀୟ ସ୍ଥାନରେ ରହିଛି। କେରଳରେ ୪୨ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।

Share