୬୭ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା

ସୋନପୁର,୨।୧୦(ନି.ପ୍ର.): ଦୁଷ୍ଟ ବିନାଶ ପାଇଁ ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା। ଶନିବାରଠାରୁ ଦେବୀଙ୍କ ପୀଠରେ ଆରମ୍ଭ ହୋଇଛି ମହିଷା ମର୍ଦ୍ଦିନୀଙ୍କ ତ୍ରିଦିନାତ୍ମକ ଦୁର୍ଗାପୂଜା। ରବିବାର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବା ପୂଜା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହେବ। ସୁବର୍ଣ୍ଣପୁର ଜିଲାର ୬୭ଟି ମଣ୍ଡପରେ ମା ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସୋନପୁର ଥାନା ଅଞ୍ଚଳରେ ୧୪ଟି, ଉଲୁଣ୍ଡା ଥାନା ଅଞ୍ଚଳରେ ୭ଟି, ତରଭା ଅଞ୍ଚଳରେ ୫ଟି, ବୀରମହାରାଜପୁରରେ ୧୧ଟି, ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ୧୦ଟି, ରାମପୁରରେ ୫ଟି, ବିନିକାରେ ୧୨ଟି ଓ ସୁବଳୟା ଅଞ୍ଚଳରେ ୩ଟି ସ୍ଥାନରେ ମା’ଙ୍କୁ ପୂଜା କରାଯାଉଛି। ସେହିଭଳି ସୋନପୁର ସହରର ବ୍ଲକ ଛକ, ଗଡଭିତର, ଦୁର୍ଗାମଣ୍ଡପ ଛକ, ଅନନ୍ତରାମ ମଣ୍ଡପ, ଘୋଡାଘାଟପଡା, ଗୁଣ୍ଡିଚାମନ୍ଦିର, କୁମ୍ଭାରପଡା, ଟିକିରିପଡା, ଥନାପତିପଡା ଓ ପଟାଭାଡି ଆଦି ୧୦ଟି ସ୍ଥାନରେ ଦୁର୍ଗାପୂଜା ହେଉଛି । ସେହିପରି ସୋନପୁର ଥାନାର ଖମ୍ବେଶ୍ୱରୀପାଲି, ହରଡଖୋଲ, ସାଗରପାଲି ଓ କୁଲିପାଲିରେ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେଉଛି। କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ପୂଜା କମିଟି ଗୁଡିକ ପକ୍ଷରୁ ମା’ଙ୍କର କେବଳ ପୂଜା ବିଧି ପାଳନ ହୋଇଥିଲା। ଭକ୍ତମାନେ ଉପବାସ ରହି ସାମାଜିକ ଦୂରତ୍ୱ ଅବଲମ୍ବନ କରି ମା’ଙ୍କ ଦର୍ଶନ କରିଥିଲେ। କୋଭିଡ କଟକଣା ହଟିବା ପରେ ଚଳିତ ଥର ଦୁର୍ଗା ପୂଜା ମହାସମାରୋହରେ କରିବା ପାଇଁ ପୂଜା କମିଟିଗୁଡିକ ନିଷ୍ପତ୍ତି ନେଇଛନ୍ତି। ପୂଜା ମଣ୍ଡପ ଗୁଡିକରେ ଶନିବାର ମୃଣ୍ମୟୀ ଦେବୀଙ୍କ ବିଲ୍ବବରଣ ଆମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ସପ୍ତମୀ ପୂଜା, ସୋମବାର ମହାଷ୍ଟମୀ ଓ ସନ୍ଧିପୂଜା, ମଙ୍ଗଳବାର ମହାନବମୀ ପୂଜା ଓ ବୁଧବାର ଦଶମୀ ପୂଜା ଅନୁଷ୍ଠିତ ହେବ। ପୂଜା ମଣ୍ଡପ ଗୁଡିକ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଆଲୋକମାଳାରେ ଝଲସୁଛି। ସୋନପୁର ସହରର ଥନାପତିପଡାରେ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ପୂଜା କମିଟି ପକ୍ଷରୁ ଗତଦଶ ଦଶନ୍ଧି ଧରି ଏଠାରେ ଦୁର୍ଗା ପୂଜା ନିଷ୍ଠାର ସହ ହୋଇଆସୁଛି।