ନୂଆପଡ଼ା,୭।୧୧: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ୨୪ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଅବ୍ବାସ୍ ଆଫ୍ରିଦି ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟରେ ଏକ ବିରଳ ରେକର୍ଡର ସମକକ୍ଷ ହୋଇଛନ୍ତି। ଶୁକ୍ରବାର କୁଏତ୍ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ସେ ଗୋଟିଏ ଓଭରରେ ୬ଟି ଯାକ ବଲ୍ରେ ୬ଟି ଛକା ମାରି ଅବିଶ୍ୱସନୀୟ କାରନାମା କରିଛନ୍ତି। ଅବ୍ବାସ୍ ଆଫ୍ରିଦି ୟାସିନ୍ ପଟେଲ୍ ନାମକ ବୋଲରଙ୍କ ଓଭରରେ ଏହି ରେକର୍ଡ କରିଥିଲେ।
ମାତ୍ର ୧୨ଟି ବଲ୍ ଖେଳି ସେ ମୋଟ ୫୫ ରନ୍ କରିଥିଲେ। ୬ ଓଭର ବିଶିଷ୍ଟ ଏହି ମ୍ୟାଚ୍ରେ କୁଏତ୍ ଦେଇଥିବା ୧୨୪ ରନ୍ର ବିଶାଳ ଲକ୍ଷ୍ୟକୁ ପାକିସ୍ତାନ ଶେଷ ବଲ୍ରେ ପୂରଣ କରି ବିଜୟୀ ହୋଇଥିଲା।
ICC ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ଫର୍ମାଟରେ ଅବ୍ବାସ୍ ଆଫ୍ରିଦିଙ୍କ ଏହି ପ୍ରଦର୍ଶନ ତାଙ୍କୁ ଜାତୀୟ ଦଳରେ ସାମିଲ କରିବା ପାଇଁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ରହିଛି। ସେ ଶେଷ ଥର ପାଇଁ ଜୁଲାଇ ୨୦୨୪ରେ ପାକିସ୍ତାନ ପାଇଁ ଖେଳିଥିଲେ।
ଏହା ଏକ ଦ୍ରୁତ ଗତିର ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଯେଉଁଥିରେ ୬ ଜଣ ଖେଳାଳିଙ୍କ ଦଳ ଏବଂ ୬ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯାଏ, ଯାହା ପ୍ରାୟ ୪୫ ମିନିଟ୍ ମଧ୍ୟରେ ଶେଷ ହୋଇଥାଏ।

