Categories: ଜାତୀୟ

୬୫ ବର୍ଷୀୟା ବୃଦ୍ଧା ୧୪ ମାସ ଭିତରେ ଜନ୍ମ ଦେଇଛନ୍ତି ୮ ସନ୍ତାନ!

ପାଟନା,୨୨ା୮: ବିହାରରେ ବିଭିନ୍ନ ବିଭାଗରେ ଅନିୟମିତତା ହେଉଥିବା ଖବର ଅନେକ ସମୟରେ ଜାଣିବାକୁ ମିଳିଥାଏ। ଏବେ ଏଠାରେ ଆଉ ଏକ ସରକାରୀ ଯୋଜନାରେ ଘୋଟାଲା ହୋଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା, ଲୋକମାନେ ଏହି ଦୁର୍ନୀତିରେ ପ୍ରକୃତିର ନିୟମ ମଧ୍ୟ ଭୁଲି ଯାଇଛନ୍ତି। ଗତ ୧୪ ମାସ ମଧ୍ୟରେ ଜଣେ ୬୫ ବର୍ଷୀୟା ବୃଦ୍ଧା ୮ଟି ସନ୍ତାନ ଜନ୍ମ ଦେଇଛନ୍ତି। ଡାକ୍ତରୀ ବିଜ୍ଞାନରେ ଏହା ଅସମ୍ଭବ, କିନ୍ତୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଏହାକୁ ସମ୍ଭବ କରିପାରିଛି। ଏହା ପୁଣି କାଗଜ କଲମରେ। ଯାହାକି ଝିଅ ଜନ୍ମ ହେଲେ ମିଳୁଥିବା ପ୍ରୋତ୍ସାହନ ରାଶି ହଡ଼ପ କରିବା ପାଇଁ କରାଯାଇଛି।
ଏକ ରିପୋର୍ଟ ଅନୁଯାୟୀ, ଏହି ବିଷୟ ବିହାରର ମୁଜାଫରପୁର ଜିଲାର ମୁଶାହରୀ ବ୍ଲକର ଅଟେ। ଜାତୀୟ ସ୍ବାସ୍ଥ୍ୟ ମିଶନରୁ ପ୍ରୋତ୍ସାହନ ରାଶି ପାଇବା ପାଇଁ ମଧ୍ୟସ୍ଥିମାନେ ଏହି ହଡ଼ପ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଝିଅମାନଙ୍କୁ ଜନ୍ମ ଦେଉଥିବା ମା’ମାନେ ପ୍ରୋତ୍ସାହନ ରାଶି ପାଇଥାନ୍ତି। ତେଣୁ ଦଲାଲମାନେ କାଗଜକଲମରେ ଝିଅମାନଙ୍କର ନକଲି ଜନ୍ମ ଦେଖାଇ ପ୍ରୋତ୍ସାହନ ରାଶି ହାସଲ କରିଛନ୍ତି।
ମିଶନ ଅଧିକାରୀ ଏବଂ ବ୍ୟାଙ୍କର ସିଏସ୍‌ପି ଏହି ଭିତ୍ତିହୀନ ତଥ୍ୟରେ ଜଣେ ବୃଦ୍ଧାଙ୍କୁ ପ୍ରୋତ୍ସାହନ ରାଶି ପଠାଉଥିଲେ। ଏହି ମାମଲାରେ ମସୁହରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଉପେନ୍ଦ୍ର ଚୌଧୁରୀ ପୋଲିସ ନିକଟରେ ଏଫଆଇଆର୍‌ ଦାଖଲ କରିଛନ୍ତି।
ତେବେ ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଏଡିଏମ୍‌ ରାଜେଶ କୁମାରଙ୍କ ନେତୃତ୍ୱରେ ଅନୁସନ୍ଧାନ କମିଟି ଜାଣିବାକୁ ପାଇଛି ଯେ, ଏହି ଅଭିଯୋଗ ସତ୍ୟ। ଆହୁରି ତଦନ୍ତ ଚାଲିଛି। ଯିଏ ଦୋଷୀ ତାହା ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦଣ୍ଡ ବିଧାନ କରାଯିବ ବୋଲି ଏଡିଏମ୍‌ କହିଛନ୍ତି।

Share