୬୫ପ୍ରତିଶତ ଅଭିଭାବକ ଚାହୁଁଛନ୍ତି ରାଜ୍ୟରେ ଖୋଲୁ ସ୍କୁଲ: ସିସୋଡିଆ

ନୂଆଦିଲ୍ଲୀ,୯।୮: ଦେଶର ରାଜଧାନୀରେ କରୋନା ସଂକ୍ରମଣ ମାମଲା ଏବେ ହ୍ରାସ ପାଇବା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ଅଭିଭାବକଙ୍କଠାରୁ ଦିଲ୍ଲୀ ସରକାର ପରାମର୍ଶ ଲୋଡିଥିଲେ। ଏସମ୍ପର୍କରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ, ୬୫ପ୍ରତିଶତ ଅଭିଭାବକ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଇଛନ୍ତି। ସରକାର ଏବାବଦରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରୁଛନ୍ତି। ଡିଡିଏମ୍‌ଏ ବୈଠକରେ ଏନେଇ ଆଲୋଚନା କରାଯାଇଥିଲା। କିନ୍ତୁ ବିଦ୍ୟାଳୟ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସିସୋଡିଆ କହିଛନ୍ତି। ତେବେ ଆଗାମୀ ଦିନରେ ବିଦ୍ୟାଳୟଗୁଡିକ ଯଥାଶୀଘ୍ର ଖୋଲାଯିବା ପାଇଁ ପ୍ରୟାସ କରାଯିବ। କାରଣ ଅଧିକାଂଶ ଅଭିଭାବକ ଚାହୁଁଛନ୍ତି ଯେ, ରାଜ୍ୟରେ କଲେଜ ମଧ୍ୟ ଖୋଲିବା ଉଚିତ୍‌। ଅନ୍ୟପଟେ ରାଜ୍ୟର ଅନେକ ସ୍କୁଲଗୁଡ଼ିକରେ ବର୍ତ୍ତମାନ ଆଡମିଶନ ଆରମ୍ଭ ହୋଇଯାଇଥିବା ବେଳେ ପିଲାମାନଙ୍କୁ ସ୍କୁଲକୁ ଆସିବାକୁ ପଡିବ। ଏଭଳି ସ୍ଥିତିରେ ପିଲାମାନଙ୍କୁ ଆଡମିଶନ ଏବଂ ପ୍ଲାକ୍ଟିକାଲ ଲାଗି ବିଦ୍ୟାଳୟକୁ ଡକାଯାଇପାରେ, ଏଥିପାଇଁ ଅନୁମତି ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ସୋମବାରଠାରୁ ଦିଲ୍ଲୀରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ୍‌ଏ) ରବିବାର ଏବାବଦରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଡିଡିଏମ୍‌ଏ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରୀଛାତ୍ରମାନେ ସୋମବାରଠାରୁ ଆଡମିଶନ, ପରାମର୍ଶ, ମାର୍ଗଦର୍ଶନ ଏବଂ ପ୍ରାକ୍ଟିକାଲ କାର୍ଯ୍ୟ ପାଇଁ ବିଦ୍ୟାଳୟକୁ ଯାଇପାରିବେ।

Share