ନୂଆଦିଲ୍ଲୀ,୮ା୫(ପି.ଟି.): ପଶ୍ଚିମବଙ୍ଗର ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୫%ଙ୍କ ନାମରେ ଆପରାଧିକ ମାମଲା ରହିଥିବା ନାମାଙ୍କନପତ୍ର ଦାଖଲ ବେଳେ ସେମାନେ ସତ୍ୟପାଠରେ ଦେଇଥିବା ଘୋଷଣାରୁ ଜଣାପଡ଼ିଛି। ପୂର୍ବ ନିର୍ବାଚନ ତୁଳନାରେ ଏଥର ଆପରାଧିକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ରିପୋର୍ଟରୁ ଜଣାପଡ଼ିଛି। ୨୯୨ ବିଧାୟକଙ୍କ ମଧ୍ୟରୁ ୧୯୦ ଜଣ (୬୫%)ଙ୍କ ନାମରେ ଆପରାଧିକ ମାମଲା ଥିବା ନେଇ ଘୋଷଣା କରିଥିଲେ।
୨୦୨୧ ନିର୍ବାଚନ ବେଳେ ଆପରାଧିକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା ୧୪୨ (୪୯%) ଥିଲା। ଏଥର ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୧୭୦ ଜଣ (୫୮%)ଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଛି, ଯାହାକି ପୂର୍ବ ବିଧାନସଭାରେ ୧୧୩ (୩୯%) ଥିଲା। ଏଥର ବିଧାନସଭାକୁ ଯାଇଥିବା ୧୪ ଜଣ ବିଧାୟକଙ୍କ ନାମରେ ହତ୍ୟା ମାମଲା, ୫୪ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଏବଂ ୬୩ ଜଣଙ୍କ ନାମରେ ମହିଳାଙ୍କ ପ୍ରତି ଅପରାଧ ମାମଲା ରହିଛି। ଦଳୀୟ ଦୃଷ୍ଟିରୁ ଦେଖିଲେ ଭାଜପାର ୨୦୬ ବିଧାୟକଙ୍କ ମଧ୍ୟରୁ ୧୫୨ ଜଣ (୭୪%) ଏବଂ ଟିଏମ୍ସିର ୮୦ ବିଧାୟକଙ୍କ ମଧ୍ୟରୁ ୩୪ ଜଣ (୪୩%)ଙ୍କ ନାମରେ ଆପରାଧିକ ମାମଲା ରହିଛି।