Categories: ଜାତୀୟ

ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହାନ୍ତି ଗେହଲଟ କ୍ୟାମ୍ପ୍‌ର ୬୫ ବିଧାୟକ

ଜୟପୁର,୨୫।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଆଲୋଚନା ମଧ୍ୟରେ କଂଗ୍ରେସ ଆଜି ବିଧାନସଭା ଦଳର ଏକ ବୈଠକ ଡାକିଛି। ଏହାପୂର୍ବରୁ ସଚିନ ପାଇଲଟଙ୍କ ଅସୁବିଧା ବଢୁଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତମ ମନ୍ତ୍ରୀ ଶାନ୍ତି ଧାରିୱାଲଙ୍କ ଘରେ ଗେହଲଟ କ୍ୟାମ୍ପ୍‌ର ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାରିୱାଲଙ୍କ ଘରେ ପ୍ରାୟ ୬୫ଜଣ ବିଧାୟକଙ୍କ ସମାବେଶ ହୋଇଛି। ଏଥିମଧ୍ୟରେ ଦେଢ ଡର୍ଜନ଼ରୁ ଅଧିକ ମନ୍ତ୍ରୀ ଅଛନ୍ତି। ଏହି ବିଧାୟକମାନେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବା ସପକ୍ଷରେ ନାହାନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ଦୌଡରେ ଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଗରେ ଅଛନ୍ତି। ସେ ଅଧ୍ୟକ୍ଷ ହେବାପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ। ରାଜସ୍ଥାନର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେହି ପ୍ରଶ୍ନରେ ଗେହଲଟ କହିଛନ୍ତି, କଂଗ୍ରେସ ମୋତେ ବହୁତ କିଛି ଦେଇଛି। ବର୍ତ୍ତମାନ ମୁଁ ଚାହୁଁଛି ନୂଆ ପିଢି ରାଜସ୍ଥାନର ଦାୟିତ୍ୱ ମିଳୁ। ଯଦିଓ ମୁଁ ଦିଲ୍ଲୀ ଯାଉଛି, ରାଜସ୍ଥାନ ପ୍ରତି ମୋର ଅଦମ୍ୟ ପ୍ରେମ ସବୁଦିନ ପାଇଁ ରହିବ। ମୁଁ ଗତ ଅଗଷ୍ଟ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ଦେଇଥିଲି କିନ୍ତୁ ସେ ମୋତେ ଏହି ପଦରେ ରହିବାକୁ କହିଥିଲେ। ବିଧାନସଭା ଦଳର ବୈଠକ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ।

Share