Categories: ଫୁରସତ

୬୨ ଦିନ ଧରି କୋମାରେ ଥିଲେ ଯୁବକ, ଏହି ଖାଦ୍ୟ ନାଁ ଶୁଣି ଆସିଗଲା ହୋସ୍‌

କୁହାଯାଏ, ମନପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରେ ଲାଳ ଆସିଯାଏ। ମାତ୍ର ଖାଦ୍ୟର ନାଁ ଶୁଣି କୋମାରେ ଥିବା ଜଣେ ଯୁବକଙ୍କ ଯେ ହୋସ୍‌ ଆସିଯିବ ଏହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ଏହା ସତ। ଉତ୍ତର-ପଶ୍ଚିମ ତାଇଓ୍ବାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାକାର ୧୮ ବର୍ଷୀୟ ଜଣେ ଯୁବକ ୬୨ ଦିନ ଧରି କୋମାରେ ଥିଲେ। ତେବେ ମନପସନ୍ଦର ଖାଦ୍ୟ ନାଁ ଶୁଣି ତାଙ୍କର ହୋସ୍‌ ଆସିଯାଇଛି। ଯାହା ତାଙ୍କ ପରିବାରବର୍ଗଙ୍କ ମୁହଁରେ ହସ ଫୁଟାଇଛି।
ଉତ୍ତର-ପଶ୍ଚିମ ତାଇଓ୍ବାନରେ ରହୁଥିବା ଚିୟୁ ନାମକ ଜଣେ ଯୁବକ ସ୍କୁଟରରେ ଯାଉଥିବା ସମୟରେ ରାସ୍ତାରେ ଦୁର୍ଘଟଣା ହୋଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେ କଥା କହି ପାରୁ ନ ଥିଲେ। ତାଙ୍କର କିଡ୍‌୍‌ନୀ, ଲିଭରରେ ମଧ୍ୟ ଆଘାତ ଲାଗିଥିଲା। ଗୋଡ଼ହାତ ଭାଙ୍ଗି ଯାଇଥିଲା। ଡାକ୍ତର ତାଙ୍କର ସର୍ଜରୀ କରାଇଥିଲେ। ତାଙ୍କର ଜୀବନ ବଞ୍ଚିଗଲା ସତ; ସେ କୋମାକୁ ଚାଲିଯାଇଥିଲେ। ଏହା ପରେ ଡାକ୍ତରମାନେ ତାଙ୍କୁ କିପରି ଭଲ କରାଇବେ ସେ ନେଇ ଦିନରାତି ଚେଷ୍ଟା ଚଳାଇଥିଲେ। ମାତ୍ର ସଫଳତା ମିଳି ନ ଥିଲା। ୬୨ ଦିନ କୋମାରେ ରହିବା ପରେ ଏକ ଚମତ୍କାର ଘଟଣା ଘଟିଲା। ଯାହାକୁ କେହି ବିଶ୍ୱାସ କରିପାରିଲେନି। ଚିୟୁଙ୍କ ଭାଇ ତାଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ ଆସିଥିଲେ। ସେ ମଜା କରିବା ପାଇଁ ତାଙ୍କୁ କହିଲେ ଭାଇ ମୁଁ ତୁମ ପାଇଁ ତୁମର ପ୍ରିୟ ଚିକେନ ପ୍ଲେଟ୍‌ ଖାଇବାକୁ ଯାଉଛି। କାରଣ ଚିୟୁଙ୍କୁ ଚିକେନ୍‌ ବହୁତ ପସନ୍ଦ। ଏହା ଶୁଣିବା ପରେ ତାଙ୍କ ଶରୀର ହଲିବାକୁ ଲାଗିଲା। ତାଙ୍କ ଭାଇ ଏ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇଲେ। ଡାକ୍ତର ଆସି ତାଙ୍କର ଚିକିତ୍ସା କଲେ। ଏହାର କିଛି ସମୟ ପରେ ସେ କୋମାରୁ ଉଠିଥିଲେ। ଏବେ ଚିୟୁୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଡାକ୍ତର କହିଛନ୍ତି। ଏଥିସହିତ ଡାକ୍ତର ଚିୟୁଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ ମଧ୍ୟ କରିଦେଇଛନ୍ତି।

Share