ରାମମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି

ଅଯୋଦ୍ଧା, ୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାମେଶ୍ୱରମରୁ ବାହାରିଥିବା ରାମରଥ ଯାତ୍ରା ୪,୫୫୫ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛି। ଏହି ଯାତ୍ରାରେ ୧୮ ଜଣିଆ ଏକ ଦଳ ସାଥୀରେ ୬୧୩ କିଲୋଗ୍ରାମ ଓଜନର ଏକ ବିଶାଳ ଘଣ୍ଟି ସହ ରାମ, ସୀତା, ଲକ୍ଷ୍ମଣ, ହନୁମାନଙ୍କ ସହିତ ଶ୍ରୀଗଣେଶଙ୍କ ମୂର୍ତ୍ତି ନେଇ ଆସିଛନ୍ତି।

ଏହି ଅବସରରେ ରାମ ରଥ ଯାତ୍ରା କାଉନସିଲ ପକ୍ଷରୁ ୬୧୩ କିଲୋର ଏହି ଘଣ୍ଟି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହିତ ପ୍ରଭୁ ରାମଙ୍କ ସମେତ ଅନ୍ୟାନ୍ୟ ମୂର୍ତ୍ତି ମଧ୍ୟ ହସ୍ତାନ୍ତର କରାଯାଇଥିଲା। କାଉନସିଲର ସାଧାରଣ ସମ୍ପାଦିକା ରାଜଲକ୍ଷ୍ମୀ ମନ୍ଦା କହିଛନ୍ତି, ୫୦୦ ବର୍ଷର ଦୀର୍ଘ ସଂଘର୍ଷ ପରେ ରାମ ମନ୍ଦିର ସ୍ବପ୍ନ ସାକାର ହେବାକୁ ଯାଉଛି। ତେଣୁ ଆଇନ ଅଧିକାର ପରିଷଦ ପକ୍ଷରୁ ବ୍ରୋଞ୍ଜ ନିର୍ମିତ ୬୧୩ କିଲୋର ଘଣ୍ଟି ଟ୍ରଷ୍ଟକୁ ପ୍ରଦାନ କରାଯାଉଛି। ଏହି ଘଣ୍ଟାର ବିଶେଷତ୍ୱ ହେଉଛି ଏଥିରୁ ବାହାରୁଥିବା ‘ଓମ୍‌’ ଧ୍ୱନି ୮ କିମି ଦୂର ପର୍ଯ୍ୟନ୍ତ ଅନୁଭବ ହେବ ଏବଂ ପରିବେଶକୁ ଭକ୍ତିମୟ କରିବ।

Share