Categories: ଖେଳ

କ୍ରିକେଟ ଇତିହାସର ସବୁଠାରୁ ଛୋଟ ମୁକାବିଲା: ୬୧ ବଲରେ ଶେଷ ହୋଇଥିଲା ମ୍ୟାଚ୍‌, କାରଣ ଥିଲା…

ନୂଆଦିଲ୍ଲୀ,୨୯।୧: କ୍ରିକେଟର ଦୀର୍ଘତମ ଫର୍ମାଟରେ ଏଭଳି କିଛି ମ୍ୟାଚ୍‌ ଖେଳାଯାଇଛି ଯାହା ବହୁତ୍‌ ଛୋଟ। ସେଥିରୁ କିଛିର ଫଳାଫଳ ବାହାରିଥିବା ବେଳେ କିଛି ଡ୍ର ରହିଛି। ସେଭଳି ଏକ ସ୍ବତନ୍ତ୍ର ମ୍ୟାଚ୍‌ ୧୯୯୮ରେ ଖେଳାଯାଇଥିଲା। ଜାମାଇକାଠାରେ ଖେଳାଯାଇଥିବା ଟେଷ୍ଟରେ ଇଂଲଣ୍ଡ ଏବଂ ଆୟୋଜକ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ମୁହାଁମୁହିଁ ହୋଇଥିଲେ। ଜାନୁୟାରୀ ୨୯ରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌କୁ ସବୁଠାରୁ ଛୋଟ ମୁକାବିଲା ଭାବେ ଗଣନା କରାଯାଏ।
ଉକ୍ତ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ବୋଲର୍‌ କର୍ଟନି ଓ୍ବାଲ୍ସ ତୃତୀୟ ଓଭରରେ ଦୁଇଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିଥିଲେ। ଇଂଲଣ୍ଡ ଦଳ ୯ ରନ୍‌ରେ ୩ ଉଇକେଟ ହରାଇଥିଲା।
ପଡ଼ିଆ ବିପଜ୍ଜନକ ଥିବା ଯୋଗୁ ବ୍ୟାଟ୍ସମ୍ୟାନ୍‌ମାନେ ଠିକ୍‌ ଭାବେ ଖେଳିପାରୁ ନ ଥିଲେ। ଏହାର ସୁଯୋଗ ନେଇଥିଲେ ଓ୍ବେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର। ନିଜ ଉଚ୍ଚତାର ଲାଭ ଉଠାଇ ଶର୍ଟ ବଲ୍‌ ପକାଇଥିଲେ। ପିଚ୍‌ରେ ଥିବା ଫାଟ ସ୍ପଷ୍ଟ ଭାବେ ନଜର ଆସୁଥିଲା। ମ୍ୟାଚ୍‌ରେ ଇଂଲଣ୍ଡ ଦଳ ମାତ୍ର ୩ ଉଇକେଟରେ ୧୭ ରନ୍‌ କରିପାରିଥିଲା। ହେଲେ ଅମ୍ପାୟାରମାନେ ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।  ମ୍ୟାଚ୍‌ରେ ମାତ୍ର ୬୧ ବଲ୍‌ ଖେଳାଯାଇଥିଲା। ଶେଷରେ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା।
Share