ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର ଗଞ୍ଜାମ ଜିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଛି।
କଲେଜ ପ୍ରଶାସନିକ ଅଧିକାରୀ କୁମୁନ୍ଦ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶିବିର ଅନୁଷ୍ଠିତ ହୋଇଥିଲା।
ଏଥିରେ ଭଞ୍ଜନଗର ସିଡିପିଓ ମିଲିମା କୁମାରୀ ପଣ୍ଡା ମୁଖ୍ୟ ଅତିଥି, ସୁପରଭାଇଜର ଭାଗ୍ୟଲତା ବେହେରା ଓ ଖାମିନିକା ଟପୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ସର୍ଭେ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ। ଇତିହାସ ବିଭାଗ ମୁଖ୍ୟ ଡ. ରବୀନ୍ଦ୍ର କୁମାର ମିଶ୍ର ଓ ଅଧ୍ୟାପକ ଆର. ହରିଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏନଏସଏସ କୋ-ୟୁନିଟ ଶାଖା ଅଧିକାରୀ ବାବୁଲା ପ୍ରଧାନ ସଭାକୁ ସଂଯୋଜନା କରିଥିବାବେଳେ ମହିଳା ଶାଖା ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ତାଲିମ ଶେଷରେ ୪୦ ଜଣ ସ୍ବେଚ୍ଛାସେବୀ ଅନଲାଇନ ପରୀକ୍ଷାରେ ଭାଗ ନେଇଥିଲେ। ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରୀମାନେ ପରବର୍ତ୍ତୀ ସମୟରେ ସର୍ଭେ କାର୍ଯ୍ୟରେ ସାମିଲ ହେବେ। ଦୁଇଜଣିଆ ଟିମ୍‌ରେ ଛାତ୍ରୀମାନେ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ପୁଷ୍ଟିହୀନ ଶିଶୁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ।

ରାଜ୍ୟରେ ପୁଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ସୁପୋଷିତ କରିବା ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିସହ ଛାତ୍ରୀ ମାନଙ୍କୁ ସୁରକ୍ଷିତ ମାତୃତ୍ୱ ଉପରେ ସଚେତନତା କରିବା ମଧ୍ୟ ଯୋଜନାର ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଏନଏସଏସ ଛାତ୍ରୀମାନଙ୍କୁ ସର୍ଭେ କାର୍ଯ୍ୟରେ ସାମିଲ କରାଯାଇଛି।
ରାଜ୍ୟର ୨୦୦ରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ୬ ହଜାରରୁ ଅଧିକ ଛାତ୍ରୀ ଏହି ସର୍ଭେରେ ସାମିଲ ହେବେ। ପ୍ରାୟ ୨୩ ହଜାର ଅଙ୍ଗନୱାଡି କେନ୍ଦ୍ରରେ ଏହି ସର୍ଭେ ହେବ। ସର୍ଭେ କାର୍ଯ୍ୟ ପାଇଁ ପ୍ରତି ସ୍ବେଚ୍ଛାସେବୀଙ୍କୁ ଦୈନିକ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ସହ ଗସ୍ତ ବ୍ୟବସ୍ଥା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ସଠିକ ଭାବେ ତଥ୍ୟ ସଂଗ୍ରହ ଓ ସର୍ଭେ କାର୍ଯ୍ୟ ସମ୍ପାଦନ କଲେ ହିଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ପଦକ୍ଷେପକୁ ନେଇ ଏନଏସଏସ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଭଞ୍ଜନଗର ବ୍ଲକର ୧୮୨ଟି କେନ୍ଦ୍ରରେ ୩ ସପ୍ତାହ ଧରି ଏହି ସର୍ଭେ ହେବ। ଉଚ୍ଚ ଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହେଉଛି। ସର୍ଭେ ସମୟରେ ଛାତ୍ରୀମାନେ ଶିଶୁର ଓଜନ ଏବଂ ଉଛତା ମାପିବେ।

Share