Categories: ଜାତୀୟ

୬୦% ପିଲା ଡିଜିଟାଲ ଆସକ୍ତ

ନୂଆଦିଲ୍ଲୀ,୨୪।୩(ପି.ଟି.): ୫ରୁ ୧୬ ବର୍ଷ ବୟସର ୬୦ ପ୍ରତିଶତ ପିଲାଙ୍କଠାରେ ଡିଜିଟାଲ ଆସକ୍ତି ସେମାନଙ୍କ ବ୍ୟବହାରରୁ ସୂଚନା ମିଳିଥିବା ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଏଭଳି ନକାରାତ୍ମକ ପ୍ରଭାବରୁ ସେମାନଙ୍କୁ ମୁକୁଳାଇବାକୁ ହେଲେ ତୁରନ୍ତ ପ୍ରଭାବୀ ନୀତି ଆପଣାଇବା ଜରୁରୀ ବୋଲି ସର୍ଭେରେ କୁହାଯାଇଛି। ସ୍ମାର୍ଟ ପ୍ୟାରେଣ୍ଟସ୍‌ ସଲ୍ୟୁଶନ କମ୍ପାନୀ ବାଟୁ ଟେକ୍‌ ପକ୍ଷରୁ ୧,୦୦୦ ମାତାପିତାଙ୍କ ଉପରେ ଏହି ନମୁନା ସର୍ଭେ କରାଯାଇଥିଲା। ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନ୍‌ ସ୍କ୍ରିନ୍‌କୁ ଚାହିଁ ରହିବା ଦ୍ୱାରା କମ୍‌ ନିଦ ହେବା, ଶାରୀରିକ କାର୍ଯ୍ୟ ହ୍ରାସ ପାଇବା, ସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ଏବଂ ଶୈକ୍ଷିକ ପ୍ରଦର୍ଶନ କମିଯିବା ଆଦି ବିଭିନ୍ନ ବିପଦକୁ ପଦାକୁ ଆଣିବା ଏହି ସର୍ଭେର ଲକ୍ଷ୍ୟ। ଅନ୍‌ଲାଇନ କଣ୍ଟେଣ୍ଟ ବ୍ୟବହାରରୁ ପିଲାମାନଙ୍କୁ ଦୂରେଇ ରଖିବାରେ ୮୫ ପ୍ରତିଶତ ମାତାପିତା ଅସୁବିଧାର ସମ୍ମୁଖୀନ ହୋଇଥିବା ସର୍ଭେରେ କୁହାଯାଇଛି। ପିଲାମାନେ ଅଧିକାଂଶ ସମୟରେ ସ୍କ୍ରିନ୍‌ ସହ ଯୋଡ଼ିହୋଇ ରହୁଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ୭୦ରୁ ୮୦ ପ୍ରତିଶତ ପିଲା ଦୈନିକ ସ୍କ୍ରିନ୍‌ ବ୍ୟବହାର ପାଇଁ ଅନୁମୋଦନ ସମୟଠାରୁ ଅଧିକ ଏଥିରେ ଦେଉଥିବା ଜଣାପଡ଼ିଛି। ପିଲାମାନେ ମୁଖ୍ୟତଃ ଗେମିଂ ଏବଂ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବାରମ୍ବାର ବ୍ୟବହାର କରିବା ଚିନ୍ତାର ବିଷୟ। ବାରମ୍ବାର ସ୍କ୍ରିନ୍‌ ବ୍ୟବହାର ଯୋଗୁ ସେମାନେ ଅନୁପଯୁକ୍ତ କଣ୍ଟେଣ୍ଟର ସଂସ୍ପର୍ଶରେ ଆସିବା ସହ ଏହାକୁ କାର୍ଯ୍ୟକାରିତାରେ ନିଜକୁ ସାମିଲ କରିପାରନ୍ତି ବୋଲି ଆଶଙ୍କା କରାଯାଇଛି। ବର୍ତ୍ତମାନ ମାତ୍ର ୧୦ ପ୍ରତିଶତ ଅଭିଭାବକ ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଫିଚରର ଉପଯୋଗ କରୁଛନ୍ତି। ପିଲାମାନଙ୍କ ସ୍କ୍ରିନ୍‌ ସମୟ କମାଇବା ପାଇଁ ଡିଜାଇନ୍‌ ହୋଇଥିବା ଏହି ଫିଚର ଭଲ ଫଳାଫଳ ଦେଉଥିବା ସର୍ଭେ ରିପୋର୍ଟରେ କୁହାଯାଇଛି।

Share