Categories: ଜାତୀୟ

ନବଜାତକଙ୍କ ମୃତ୍ୟୁରେ ମହିଳା କର୍ମଚାରୀଙ୍କୁ ମିଳିବ ୬୦ ଦିନ ଛୁଟି

ନୂଆଦିଲ୍ଲୀ, ୩ା୯: କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ମହିଳା କର୍ମଚାରୀଙ୍କ ପ୍ରସବବେଳେ ନବଜାତକର ମୃତ୍ୟୁ ଘଟିଲେ ସେମାନଙ୍କୁ ୬୦ ଦିନ ସ୍ବତନ୍ତ୍ର ମାତୃତ୍ୱ ଛୁଟି ମିଳିବ। ଏ ନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଶୁକ୍ରବାର ଏକ ନିର୍ଦ୍ଦେଶାନାମା ଜାରି ହୋଇଛି। ମୃତଶିଶୁ ଜନ୍ମ ହେବା କିମ୍ବା ଜନ୍ମ ପରେ ଶିଶୁଙ୍କ ମୃତ୍ୟୁଜନିତ ମା’ର ଦୁଃଖକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ମୃତଶିଶୁ ଜନ୍ମ ହେଲେ ବା ନବଜାତକଙ୍କ ମୃତ୍ୟୁ ପରେ ଛୁଟି/ମାତୃତ୍ୱକାଳୀନ ଛୁଟି ଉପରେ ସ୍ପଷ୍ଟୀକରଣ ନେଇ ବିଭାଗକୁ ଅନେକ ଆବେଦନ ଆସିଥିଲା। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ବିଚାରବିମର୍ଶ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେଥିରେ କୁହାଯାଇଛି ଯେ, ଯଦି ମହିଳା କର୍ମଚାରୀ ପୂର୍ବରୁ ମାତୃତ୍ୱକାଳୀନ ଛୁଟି ନେଇଥିବେ ଓ ତାହା ଜାରି ରହିଥିବ, ସେହି ସମୟରେ ଜନ୍ମ ହେବା ପରେ ଶିଶୁର ମୃତ୍ୟୁ କିମ୍ବା ମୃତ ଶିଶୁ ଜନ୍ମ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଛୁଟି ଉପଲବ୍ଧତା ଭିତରେ ଥିବା ନିୟମକୁ ଦେଖାଯାଇ ବିଚାର କରାଯିବ। ସେଥିପାଇଁ ଡାକ୍ତରୀ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବ ନାହିଁ। ଫଳରେ ଜନ୍ମିତ ଶିଶୁର ମୃତ୍ୟୁ ଘଟିଲେ କିମ୍ବା ମୃତଶିଶୁ ଜନ୍ମ ହେବା ଦିନକୁ ହିସାବକୁ ନିଆଯାଇ ସମ୍ପୃକ୍ତ ୬୦ ଦିନର ଛୁଟି ମଞ୍ଜୁରୀ କରାଯିବାର ବ୍ୟବସ୍ଥା ହେବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share