ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୬୦ ଜଣ ବଡ଼ବାବୁ

ଭୁବନେଶ୍ୱର,୧ା୧(ବ୍ୟୁରୋ): ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ୫୪୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୮୫ଟି ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ୬୦ ଜଣ କ୍ଲାସ୍‌-୧ ଅଫିସର ଥିବା ବେଳେ ୫୩ ଜଣ କ୍ଲାସ୍‌-୨ ଅଫିସର, ୨୨୭ ଜଣ ତୃତୀୟ ଶ୍ରେଣୀ କର୍ମଚାର, ୭ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୩୮ ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଏବଂ ୧୫୯ ଜଣ ବେସରକାରୀ ବ୍ୟକ୍ତି। ସେହିପରି ୨୦୦ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୪୭ ଜଣ ବିଭିନ୍ନ ବିଭାଗର ଇଞ୍ଜିନିୟର, ୩୧ ଜଣ ରାଜସ୍ବ ଅଧିକାରୀ, ୨୦ ଜଣ ପୋଲିସ ଅଧିକାରୀ, ୧୩ ଜଣ ବନ ବିଭାଗ ଅଧିକାରୀ ଓ କର୍ମଚାରୀ, ୧୨ ଜଣ ଡାକ୍ତର ଓ ୭ ଜଣ ଆଇସିଡିଏସ କର୍ମଚାରୀ ଅଛନ୍ତି। ଶନିବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବାର୍ଷିକ ସମୀକ୍ଷା ରିପୋର୍ଟ-୨୦୨୨ରେ ଏହି ସୂଚନା ଦିଆଯାଇଛି।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ ୨୦୨୨ରେ ମୋଟ ୨୮୫ କ୍ରାଇମବ୍ରାଞ୍ଚ ମାମଲା ପଞ୍ଜୀକୃତ ହୋଇଛି। ଏହି ବର୍ଷ ୨୦୦ ସରକାରୀ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏଣେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜୀକୃତ ହୋଇଛି। ଏ ବାବଦରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ ହୋଇଛି। ଦୁର୍ନୀତି ପାଇଁ ୨୯ ପ୍ରତିଶତ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩୦ ପ୍ରତିଶତ ଓ ଲାଞ୍ଚ ନେବା ବେଳେ ଧରିପଡ଼ିଛନ୍ତି ୪୧ ପ୍ରତିଶତ କର୍ମଚାରୀ। ବିଗତ ୫ ବର୍ଷରେ ସର୍ବାଧିକ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଭିଜିଲାନ୍ସ ଧରିଛି। ସେହିପରି ଭିଜିଲାନ୍ସ ନଗଦ ଟଙ୍କା ଜବତ କରିବାରେ ଚଳିତ ବର୍ଷ ରେକର୍ଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ବଡ଼ ମାମଲାରେ ଜବତ ହୋଇଛି ୭ କୋଟି ଟଙ୍କା। ବିପୁଳ ଟଙ୍କା ନେଇ ସାଙ୍ଗରେ ଯିବା ବେଳେ ୭ଜଣ ସରକାରୀ କର୍ମଚାରୀଙ୍କୁ ଧରିବା ସହ ସେମାନଙ୍କଠାରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।
୨୦୨୨ରେ ଓଡ଼ିଶା ଭିଜିଲାନ୍ସରେ ୧୧୮ଟି ଟ୍ରାପ୍‌ କେସ୍‌ ପଞ୍ଜୀକୃତ ହୋଇଥିବା ବେଳେ ଲାଞ୍ଚ ନେବା ବେଳେ ୧୨୬ ଜଣ ସରକାରୀ କର୍ମଚାରୀଙ୍କୁ ଧରିବାରେ ଭିଜିଲାନ୍ସ ସଫଳ ହୋଇଛି। ସେମାନଙ୍କଠାରୁ ୩୬.୯୪ ଲକ୍ଷ ଟଙ୍କା ଜବତ ହୋଇଛି। ଓଡ଼ିଶା ଭିଜିଲାନ୍ସର ଇତିହାସରେ ଟ୍ରାପ୍‌ କେସ୍‌ରେ ୪ ଥର ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି। ଏ ବାବଦରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।