ଅଟକିଛି ୬ ଜଳପଥ ପ୍ରକଳ୍ପ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଜଳପଥରେ ପରିବହନ ହେବ। ସଡ଼କ ପଥଠାରୁ ବହୁ କମ୍‌ ଖର୍ଚ୍ଚରେ ପରିବହନ ସୁବିଧା ହୋଇପାରିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ଜାତୀୟ ଜଳ ମାର୍ଗ ନୀତି-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଦେଶରେ ୧୧୧ଟି ଜଳପଥ ଚିହ୍ନଟ କରାଯାଇଥିବାବେଳେ ଓଡ଼ିଶାରେ ୬ଟି ଜଳପଥ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରକଳ୍ପ କେବଳ ଲୋକଦେଖାଣିଆ ଭାବେ ଘୋଷଣାରେ ସୀମିତ ହୋଇଯାଇଛି। ଜଳପଥ ପରିବହନକୁ ନେଇ କେନ୍ଦ୍ର ସରକାର ଯେଉଁ ଆଶା ଦେଖାଇଥିଲେ ତାହା ମଉଳିବାରେ ଲାଗିଛି। ୬ ବର୍ଷ ପରେ ଘୋଷଣା ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଜଳପଥକୁ ବାଟବଣା କରିଛି।
ବିଭିନ୍ନ ନଦୀ, ଉପନଦୀ, ଶାଖା ନଦୀ ଓ ଇଷ୍ଟକୋଷ୍ଟ କେନାଲକୁ ବ୍ୟବହାର କରି ରାଜ୍ୟରେ ୬ଟି ଜଳ ମାର୍ଗ ନିର୍ମାଣ କରିବାକୁ ଘୋଷଣା କରାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରାଜ୍ୟରେ ୧୫୮୯ କିଲୋମିଟର ପର୍ଯ୍ୟନ୍ତ ଜଳପଥ ସୁବିଧା ହୋଇପାରିବ। ଘୋଷଣା ଅନୁଯାୟୀ ଜାତୀୟ ଜଳ ମାର୍ଗ-୫ରେ ବ୍ରାହ୍ମଣୀ, ଖରସୁଆଁ, କାଣୀ, ମନ୍ତେଇ, ମହାନଦୀ ଓ ଏହାର ଶାଖା ନଦୀ, ଇଷ୍ଟକୋଷ୍ଟ କେନାଲ ସଂଯୋଗ କରାଯାଇ ରାଜ୍ୟର ତାଳଚେରଠାରୁ ପଶ୍ଚିମବଙ୍ଗର ଜିଓଖାଲି ପର୍ଯ୍ୟନ୍ତ ୫୮୮ କିଲୋମିଟର ବ୍ୟାପୀ ଜଳପଥ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଜାତୀୟ ଜଳ ମାର୍ଗ-୧୪ ଅଧୀନରେ ବୈତରଣୀ ନଦୀର ଦତ୍ତପୁର ଗ୍ରାମଠାରୁ ଲକ୍ଷ୍ମୀପ୍ରସାଦ ଡିଆ ନିକଟ ଧାମରା ଓ ବୈତରଣୀ ନଦୀ ସଙ୍ଗମସ୍ଥଳ ପର୍ଯ୍ୟନ୍ତ ୪୯ କି.ମି., ଜାତୀୟ ଜଳ ମାର୍ଗ-୨୨ ଅନ୍ତର୍ଗତ ବିରୂପା, ବଡି, ଗେଙ୍ଗୁଟି ଓ ବ୍ରାହ୍ମଣୀ ନଦୀରେ ଚୌଦ୍ୱାର ବିରୂପା ଆନିକଟଠାରୁ କାଇପଡା ନିକଟସ୍ଥ ବିରୂପା, ବ୍ରାହ୍ମଣୀ ନଦୀର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ଓ ବିକଳ୍ପ ମାର୍ଗ ଭାବେ ସାମସପୁର ଗ୍ରାମରୁ ଖଡଗପୁର ଗ୍ରାମ ପର୍ଯ୍ୟନ୍ତ ଏବଂ ବିରୂପା ଓ ବ୍ରାହ୍ମଣୀ ନଦୀର କାଟଣା ପର୍ଯ୍ୟନ୍ତ ୧୫୬ କି.ମି. ପର୍ଯ୍ୟନ୍ତ ଜଳପଥ ନିର୍ମାଣ ହେବ। ସେହିପରି ଜାତୀୟ ଜଳ ମାର୍ଗ-୨୩ ଅଧୀନରେ ବୁଢ଼ାବଳଙ୍ଗ ନଦୀରେ ପାଟଳିପୁତ୍ର ଗ୍ରାମ ନିକଟ ଆନିକଟଠାରୁ ଚାନ୍ଦିପୁର ମାଛଧରା ବନ୍ଦର ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ଓ ବଙ୍ଗୋପସାଗର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ୫୬ କି.ମି. ଜଳପଥ ନିର୍ମାଣ ଯୋଜନା କରାଯାଇଛି। ଜାତୀୟ ଜଳ ମାର୍ଗ-୬୪ ଅଧୀନରେ ମହାନଦୀର ସମ୍ବଲପୁର ଆନିକଟଠାରୁ ପାରାଦୀପ ପର୍ଯ୍ୟନ୍ତ ୪୨୫ କି.ମି. ଏବଂ ଜାତୀୟ ଜଳ ମାର୍ଗ-୯୬ ଅଧୀନରେ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍‌ଠାରୁ ସୁବର୍ଣ୍ଣରେଖା ନଦୀ ଓ ବଙ୍ଗୋପସାଗର ସଙ୍ଗମସ୍ଥଳ ଯାଏ ୩୧୪ କି.ମି. ଜଳପଥ ନିର୍ମାଣ କରିବାକୁ ଘୋଷଣା କରାଯାଇଛି।
ବିଡ଼ମ୍ବନା ଯେ ଗତ ୬ ବର୍ଷ ପରେ ମଧ୍ୟ ରାଜ୍ୟରେ କୌଣସି ଗୋଟିଏ ଜଳ ମାର୍ଗ କାର୍ଯ୍ୟ ଆରମ୍ଭ ହୋଇନାହିଁ। କେବଳ ଜାତୀୟ ଜଳ ମାର୍ଗ -୫ କାର୍ଯ୍ୟକାରୀ କରିବାକୁ ଫିଜିବିଲିଟି ଷ୍ଟଡି ପରେ ଡିପିଆର ପ୍ରସ୍ତୁତ କରାଯାଇଥିବାବେଳେ ଅନ୍ୟ ୫ଟି ଜଳ ମାର୍ଗ ଫିଜିବିଲିଟି ଷ୍ଟଡିରେ ସୀମିତ ରହିଛି। ଜଳ ମାର୍ଗ-୫ ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏଥିଲାଗି କୌଣସି ବ୍ୟୟବରାଦ ହୋଇନାହିଁ। କେନ୍ଦ୍ରର ଜଳପଥ ଘୋଷଣା ପରେ ଏହା ରାଜ୍ୟର ଆର୍ଥିକ ବିକାଶକୁ ବଳ ଯୋଗାଇବା ନେଇ ଆଶା ସଞ୍ଚାର ହୋଇଥିଲା। ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ କେନ୍ଦ୍ର ସରକାର ଯୋଗାଇ ନ ଥିବାରୁ ଜଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସେତେଟା ଆଗ୍ରହ ଦେଖାଉ ନ ଥିବାରୁ ପ୍ରକଳ୍ପର ଭାଗ୍ୟ ଏକପ୍ରକାର ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଛି। ରାଜ୍ୟ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ୬ ବର୍ଷ ବିତିଯାଇଥିଲେ ମଧ୍ୟ ଜାତୀୟ ଜଳ ମାର୍ଗ-୫ ଆରମ୍ଭ ହୋଇପାରି ନାହିଁ। ଅନ୍ୟ ଜଳ ମାର୍ଗ ଫିଜିବିଲିଟି ଷ୍ଟଡିରେ ସୀମିତ ରହିଛି। ରାଜ୍ୟର ଏହି ୬ ଜଳପଥ ପ୍ରକଳ୍ପ ଶେଷ କରିବା ନେଇ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। କେବେ କାମ ଆରମ୍ଭ ହେବ ଓ ଶେଷ ହେବ ତାହା ମଧ୍ୟ ଜଣାନାହିଁ ବୋଲି ସେ କହିଛନ୍ତି।