Categories: ଜାତୀୟ

ସପା କର୍ମୀଙ୍କ ଶାଢ଼ୀ ଟଣା ଭିଡିଓ ଭାଇରାଲ ପରେ ଆକ୍‌ଶନ ମୋଡ଼ରେ ଯୋଗୀ

ଲକ୍ଷ୍ନୌ,୯।୭: ଲଖିିମପୁର ଖେରି ଜିଲାରେ ସମାଜବାଦୀ ପାର୍ଟି (ସପା)ର ମହିଳା କର୍ମୀଙ୍କ ଶାଢ଼ୀ ଟାଣିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକଶନ ମୋଡ଼କୁ ଆସିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜିଲାର ଜଣେ ସର୍କଲ ଅଫିସର, ଦୁଇ ଇନ୍ସପେକ୍ଟର ଓ ୩ ସବ୍‌ ଇନ୍ସପେକ୍ଟରଙ୍କ ସମେତ ୬ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରି ଦିଆଯାଇଛି।

ଶନିବାର ଭାଇରାଲ ହୋଇଥିବା ଲଜ୍ଜାଜନକ ଭିଡିଓରେ ପ୍ରତିପକ୍ଷ ଦଳର ଦୁଇ ସମର୍ଥକ ସପା ପ୍ରାର୍ଥୀଙ୍କ ଜଣେ ପ୍ରପୋଜର (ପ୍ରସ୍ତାବକ)ଙ୍କ ଶାଢ଼ୀ ଟାଣୁଥିବା ଦେଖିବାକୁ ମିଳିଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କେନ୍ଦ୍ରକୁ ଯାଉଥିବାବେଳେ ମହିଳା ଜଣଙ୍କୁ ଆକ୍ରମଣ କରାଯାଇଥିଲା। ନାମାଙ୍କନ ଦାଖଲ କରିବାରୁ ରୋକିବା ପାଇଁ ପୀଡ଼ିତାଙ୍କ ଠାରୁ ନାମାଙ୍କନ ପତ୍ର ଛଡ଼ାଇ ନେଇଥିଲେ ଆକ୍ରମଣକାରୀ। ପୋଲିସ କହିବା ଅନୁଯାୟୀ, ଆକ୍ରମଣକାରୀମାନେ ସେମାନଙ୍କ ସମର୍ଥତ୍ତ ପ୍ରାର୍ଥୀଙ୍କୁ ନିର୍ଦ୍ଦନ୍ଦ୍ୱରେ ଜିତାଇବା ପାଇଁ ଏଭଳି କରିଥିଲେ।

ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାରଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସମାଜବାଦୀ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭିଡିଓ ଶେୟାର କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ କରିଥିଲେ।

Share