ମରଣମୁହଁରୁ ଫେରିଲେ ୬ ପର୍ଯ୍ୟଟକ

ରାଜନଗର, ୪ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଖୋଲିଛି। ବ୍ୟୟବହୁଳ ଏହି ଇକୋ ରିଟ୍ରିଟ୍‌ର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ସୋମବାର ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟ ଗଁାର କେତେଜଣ ପର୍ଯ୍ୟଟକ ପେଣ୍ଠ ବେଳାଭୂମି ବୁଲିବାକୁ ଆସିଥିଲେ। ସେଠାରେ ଥିବା ଇକୋ ରିଟ୍ରିଟର ବୋଟିଂ ସୁବିଧାରେ ୧୨ଶହ ଟଙ୍କା ପୈଠ କରି ସମୁଦ୍ରରେ ବୋଟିଂର ମଜା ନେବା ପାଇଁ ଗୌରୀ ସୂତାର, ରୋହିତ ସୂତାର, ସୁଶାନ୍ତ ସୂତାର, ରାହୁଲ ସୂତାର, ସୁଧାଂଶୁ ସୂତାର ଓ ସୁପ୍ରଭା ମହାନ୍ତି ସମୁଦ୍ର ମଧ୍ୟକୁ ଯାଇଥିଲେ। ସମୁଦ୍ର ଭିତରେ ପ୍ରାୟ ୨ କିମି ଗଲାପରେ ବୋଟରୁ ପେଟ୍ରୋଲ ସରି ଯାଇଥିଲା। ଗଭୀର ସମୁଦ୍ର ମଧ୍ୟରେ ବୋଟ୍‌ରୁ ପେଟ୍ରୋଲ ସରିଯିବା ପରେ ବୋଟରେ ଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇପଡିଥିଲେ। ପର୍ଯ୍ୟଟକମାନେ ହୋ ହଲ୍ଲା ଓ ଚିତ୍କାର କରିଥିଲେ। ସେମାନେ ଲାଇଫ୍‌ ଜ୍ୟାକେଟ ପିନ୍ଧିଥିଲେ ସୁଦ୍ଧା କୌଣସି ଉପାୟ ନ ପାଇ ଭଗବାନ୍‌ଙ୍କୁ ଡାକିଥିଲେ। ପବନର ଗତି ଉପକୂଳମୁହଁା ଥିବାରୁ ବୋଟ୍‌ଟି ଆପେଆପେ କୂଳକୁ ଚାଲି ଆସିଥିଲା। ଫଳରେ ସମସ୍ତ ପର୍ଯ୍ୟଟକ ଉଦ୍ଧାର ପାଇଥିଲେ। ବୋଟ୍‌ରେ ଥିବା ପର୍ଯ୍ୟଟକମାନଙ୍କ କହିବା କଥା ହେଲା, ଇକୋ ରିଟ୍ରିଟ୍‌ ପରିଚାଳନା କର୍ମଚାରୀଙ୍କ ଦାୟିତ୍ୱରେ ଥିବା ବୋଟ୍‌ରେ ଆମେ ଯେତେବେଳେ ବସିଲୁ, ତାହା ଷ୍ଟାର୍ଟ ହେଲାନାହିଁ। କିଛି ସମୟ ଚେଷ୍ଟା କଲା ପରେ ଷ୍ଟାର୍ଟ ହେଲା। ସେହି ବୋଟ୍‌ରେ ସମୁଦ୍ର ମଧ୍ୟକୁ ଯିବା ସମୟରେ ହଠାତ୍‌ ବୋଟ୍‌ର ଇଞ୍ଜିନ ବନ୍ଦ ହୋଇଗଲା। ବୋଟ୍‌ ଚଲାଉଥିବା ଡ୍ରାଇଭର ହୁଇସିଲ ମାରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏମିତିକି ବୋଟ୍‌ ମଧ୍ୟରେ ପାଦେ ପର୍ଯ୍ୟନ୍ତ ପାଣି ପଶିଥିଲା। ଭଗବାନ୍‌ଙ୍କ ଆଶୀର୍ବାଦରୁ ଆମେ ନୂଆ ଜୀବନ ପାଇକି ଆସିଛୁ ବୋଲି ସେମାନେ କହିଛନ୍ତି। ଯଦି ପବନର ବେଗ ଉପକୂଳମୁହଁା ନ ଥା’ନ୍ତା, ତେବେ ଗଭୀର ସମୁଦ୍ରରେ ୬ଜଣ ପର୍ଯ୍ୟଟକଙ୍କ ଅବସ୍ଥା କ’ଣ ଯେ ହୋଇଥା’ନ୍ତା ଓ ସେଥିପାଇଁ ଦାୟୀ କିଏ ରହିଥା’ନ୍ତା। ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଇକୋ ରିଟ୍ରିଟ୍‌ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ବୋଟ୍‌ଟିରେ ପେଟ୍ରୋଲ ସରିଯାଇଥିଲା। ଏହା ଆମର ଭୁଲ ଥିଲା। ଆମେ ତାଙ୍କଠାରୁ ରଖିଥିବା ୧୨ଶହ ଟଙ୍କା ଫେରାଇ ଦେଇଛୁ ବୋଲି କହିଛନ୍ତି।