ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ

ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ପରିବାରର ଜଣେ କି ଦୁଇଜଣ ନୁହନ୍ତି, ୬ ଝିଅ ହେଉଛନ୍ତି ବୈଜ୍ଞାନିକ। ଏମାନଙ୍କ ମଧ୍ୟରୁ ୪ ଜଣ ବିଦେଶରେ ରହି ବିଭିନ୍ନ କ୍ଷେତ୍ରରେ ଗବେଷଣା କରୁଛନ୍ତି। ଜଣେ ଝିଅଙ୍କୁ କ୍ୟାନ୍ସର ରୋଗ ଉପରେ ଅଧିକ ରିସର୍ଚ୍ଚ କରିବା ପାଇଁ ସ୍ବୀକୃତି ମଧ୍ୟ ମିଳିଛି। ଆଉ ଦୁଇଜଣ ଭାରତର ଦୁଇ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବରେ କାର୍ଯ୍ୟରତ। ଝିଅମାନଙ୍କର ଏପରି କୃତିତ୍ୱ ଦେଖି ପିତା ସେମାନଙ୍କୁ ମା’ ଦୁର୍ଗାଙ୍କ ଅବତାର ବୋଲି ଅଭିହିତ କରିଛନ୍ତି।
ହରିୟାଣାର ଭଦାନା ଗାଁର ଜଗଦେବ ଦହିୟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ। ତାଙ୍କର ଛଅ ଝିଅ ଏବଂ ଗୋଟିଏ ପୁଅ। ଏହି ଛଅଙ୍କୁ ଦେଖି ଲୋକମାନେ ତାଙ୍କୁ ବୋଝ ବୋଲି କହୁଥିଲେ। କିନ୍ତୁ ଠିକ୍‌ ସମୟରେ ଜଗଦେବ ଗାଁରେ ଝିଅମାନଙ୍କ ପ୍ରାଥମିକ ଶିକ୍ଷା ଶେଷ କରାଇଥିଲେ।
ସ୍କୁଲ ଶିକ୍ଷା ଶେଷ ପରେ ସମସ୍ତେ ସୋନେପତ୍‌ର ଟିକାରାମ ମହିଳା ମହାବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇଥିଲେ। ଏଥିସହ ହିନ୍ଦୁ କଲେଜରୁ ବିଏସ୍‌୍‌ସି ପଢ଼ା ଶେଷ କରିଥିଲେ। ପରେ ଉଚ୍ଚ ଶିକ୍ଷା ପାଇଁ ଝିଅମାନଙ୍କୁ ଚଣ୍ଡୀଗଡ଼ ପଠାଇଥିଲେ ଜଗଦେବ। ତାଙ୍କର ଜଣେ ଝିଅ ଡଃ ସଙ୍ଗୀତା ଦହିୟା ପଦାର୍ଥ ବିଜ୍ଞାନ, ଡ. ମୋନିକା ଦହିୟା ବାୟୋଟେକ୍ନୋଲୋଜି, ଡଃ ନିତୁ ଦହିୟା ବାୟୋଟେକ୍ନୋଲୋଜିରେ ଉଚ୍ଚତର ଡିଗ୍ରୀ ଶେଷ କରିଛନ୍ତି। ୪ ନଂ. ଝିଅ କଳ୍ପନା ପଞ୍ଜାମ ୟୁନିଭର୍ସିଟିରେ ପ୍ରଫେସର ଅଛନ୍ତି। ଡଃ ଡେନି ଦହିୟା ଓ ରୁଚି ଦହିୟା ଗଣିତରେ ଏମ୍‌ଏସ୍‌ସିରେ ପିଏଚ୍‌ଡି କରିଛନ୍ତି।

ସଙ୍ଗୀତା ସହରର ଜିବିଏମ କଲେଜରେ ପଦାର୍ଥ ବିଜ୍ଞାନରେ ପ୍ରଫେସର ଥିବା ବେଳେ ଚତୁର୍ଥ ଝିଅ ଡଃ କଳ୍ପନା ଦହିୟା ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ୟୁନିଭର୍ସିଟିରେ ପ୍ରଫେସର ଭାବରେ ଅବସ୍ଥାପିତ ଅଛନ୍ତି। ବଡ଼ ଝିଅ ମୋନିକା କାନାଡାର ଟରୋଣ୍ଟୋ ସହରରେ ବୈଜ୍ଞାନିକ ଥିବା ବେଳେ ଡଃ ନିତୁ ଦହିୟା ୟୁଏସ୍‌ଏରେ ‘ଫୁଡ ଆଣ୍ଡ ଡ୍ରଗ୍ସ ଡିପାର୍ଟମେଣ୍ଟ’ରେ ବୈଜ୍ଞାନିକ ରୂପେ କାର୍ଯ୍ୟରତ। ତେବେ ଜଗଦେବଙ୍କ ପୁଅ ଯୋଗେଶ ଏମ୍‌ବିଏ ପାଠପଢା ଶେଷ କରି ଅନ୍‌ଲାଇନ ମାଧ୍ୟମରେ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି । ପିତା ଜଗଦେବ ଏବଂ ମାତା ଓମ୍‌ବତୀ ଝିଅମାନଙ୍କ କୃତିତ୍ୱରେ ନିଜକୁ ଗର୍ବିତ ମନେ କରନ୍ତି।

Share