Categories: ଜାତୀୟ

ଭାଜପା ଦଖଲରେ ଗୁଜରାଟର ୬ ପୌର ନିଗମ

ଅହମଦାବାଦ, ୨୪।୨ : ଗୁଜରାଟ ପୌର ନିର୍ବାଚନ ଭୋଟଗଣତି ମଙ୍ଗଳବାର ଜାରି ରହିଥିବାବେଳେ ଭାଜପା ୬ଟି ଯାକ ମହାନଗର ନିଗମ ଦଖଲ କରିଛି। ରାତି ୧୧ଟା ସୁଦ୍ଧା ମୋଟ୍‌ ୫୭୬ ଆସନ ମଧ୍ୟରୁ ଗୈରିକ ଦଳକୁ ୪୮୫ଟି ଆସନ ମିଳିଛି। କଂଗ୍ରେସକୁ ୪୧ ଆସନ ମିଳିଥିବାବେଳେ ପ୍ରଥମ ଥର ନିର୍ବାଚନ ଲଢ଼ିଥିବା ଆମ୍‌ ଆଦ୍‌ମୀ ପାର୍ଟିକୁ ୨୭ ଆସନ ମିଳିଛି। ଏଆଇଏମ୍‌ଆଇଏମ୍‌ ୭ ଏବଂ ବିଏସ୍‌ପି ୩ ଆସନରେ ବିଜୟୀ ହୋଇଛି। ଗତ ୨୧ ତାରିଖରେ ଅହମଦାବାଦ ସମେତ ୬ ମହାନଗର ନିଗମ ପାଇଁ ମତଦାନ ହୋଇଥିଲା। ଅହମଦାବାଦର ୧୯୨ ଆସନ ସମେତ ରାଜକୋଟର ୭୨, ଜାମନଗରର ୬୪, ଭାବନଗରର ୫୨, ବଡୋଦରାର ୭୬ ଏବଂ ସୁରଟର ୧୨୦ ଆସନ ଲାଗି ନିର୍ବାଚନ ହୋଇଥିଲା। ଭାଜପାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଭୋଟର ଏବଂ ଦଳୀୟ କର୍ମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ରାଜନୀତିର ବିଜୟ ବୋଲି ରୂପାନୀ କହିଛନ୍ତି। ସୁରଟରେ କଂଗ୍ରେସକୁ ପଛରେ ପକାଇ ଆମ୍‌ ଆଦ୍‌ମୀ ପାର୍ଟି ଦ୍ୱିତୀୟ ସ୍ଥାନରେ ରହିଛି।

Share