୬ ମାସ ବିତିଲା, ଆଶାକର୍ମୀରୁ ନାମ କଟିନି

ପାରାଦୀପ, ୩ା୯ (ସ୍ବ.ପ୍ର.): ଯେକୌଣସି ସରକାରୀ କର୍ମଚାରୀ କିମ୍ବା ସରକାରୀ ଅର୍ଥରେ ପ୍ରତିପୋଷଣ ହେଉଥିବା କର୍ମୀ ଜନପ୍ରତିନିଧି ହେବା ପୂର୍ବରୁ ତାହା ଫେରିଯିବା କଥା। କିନ୍ତୁ ପାରାଦୀପରେ ତା’ର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୌର ଉପାଧ୍ୟକ୍ଷା ଥିବା ଛବିଲତା ରାଉତ ଶାସନରେ ୬ ମାସ ରହିଲେଣି। କିନ୍ତୁ ତାଙ୍କ ନାମ ଆଶାକର୍ମୀ ତାଲିକାରେ ଏବେ ବି ରହିଛି। ଆଶାକର୍ମୀଙ୍କୁ ମିଳୁଥିବା ସରକାରୀ ମୋବାଇଲ ସିୟୁଜି (କ୍ଲୋଜ ୟୁଜର ଗ୍ରୁପ୍‌) ନମ୍ବର ବ୍ୟବହାର କରୁଛନ୍ତି। ଏପରି ହେବା ଫଳରେ ସେ ଯେଉଁ ୨ ନମ୍ବର ୱାର୍ଡର ଆଶାକର୍ମୀ ଥିଲେ ସେଠାରେ ଆଉ ଜଣଙ୍କୁ ନିଯୁକ୍ତି ମିଳି ପାରୁନାହିଁ ବୋଲି ଜଣେ ଆଶାୟୀ କହିଛନ୍ତି। ସୂଚନାଯୋଗ୍ୟ, ପାରାଦୀପ ପୌର ନିର୍ବାଚନ ଗତ ମାର୍ଚ୍ଚ ୨୪ ରେ ହୋଇଥିଲା। ଏଥିପାଇଁ ମାର୍ଚ୍ଚ ୬ରେ ଛବିଲତା ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପତ୍ର ଦେବା ପୂର୍ବରୁ ସେ ଆଶାକର୍ମୀ ପଦରୁ ଇସ୍ତଫା ଦେଇଥିଲେ ବୋଲି ପ୍ରାର୍ଥତ୍ପତ୍ରରେ ଦର୍ଶାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ୨ ନମ୍ବର ୱାର୍ଡରୁ ସେ ବିଜୟୀ ହୋଇଛନ୍ତି। ସ୍ବାଧୀନ ପ୍ରାର୍ଥୀ କାଉନସିଲରଙ୍କ ସମର୍ଥନରେ ତାଙ୍କୁ ଏପ୍ରିଲ ୭ରେ ଉପାଧ୍ୟକ୍ଷା ଚୟନ କରାଯାଇଥିଲା। ଅଗଷ୍ଟ ମାସ ଆଶା କର୍ମୀ ଦରମା ତାଲିକାରେ ଛବିଲତାଙ୍କ ନାମ ରହିଛି। କିନ୍ତୁ ତାଙ୍କୁ ଅର୍ଥ ମିଳିନାହିଁ ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ ତାଲିକାରେ ଦର୍ଶାଯାଇଛି। ସିୟୁଜି ନଂ. ୮୨୮୦୪୧୪୮୫୬ ମଧ୍ୟ ସେ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ଛବିଲତାଙ୍କୁ ପଚାରିବାରେ ମାର୍ଚ୍ଚ ମାସରୁ ରିଜାଇନ ଦେଇ ସାରିଛି। ଯେଉଁ ଅଞ୍ଚଳ ପାଇଁ ଆଶାକର୍ମୀ ଭାବେ କାମ କରୁଥିଲି ସେଠାରେ ଆଉ ଜଣେ ଜଏନ କଲେ ତାଙ୍କୁ ସେହି ନମ୍ବର ଦେଇ ଦେବି। ଆଶାକର୍ମୀ ତାଲିକାରୁ ଡିପିଏମ ୍‌(ଡିଷ୍ଟ୍ରିଟ ପ୍ରୋଗ୍ରାମିଂ ଅଫିସର)କାଟିବା କଥା। ଏ ସମ୍ପର୍କରେ ଡିପିଏମ୍‌ ଚକ୍ରଧର ଜେନାଙ୍କୁ ପଚାରିଲେ କ’ଣ ହୋଇଛି ଦେଖିବି କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।