ମରାମତିର ୬ ମାସରେ ଘେରିବନ୍ଧରେ ଗର୍ତ୍ତ

ପଟ୍ଟାମୁଣ୍ଡାଇ,୨୩ା୮(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ ଅଧୀନରେ ଥିବା ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ମରାମତି ପାଇଁ ବିଭାଗ ପକ୍ଷରୁ ଗତ ମାର୍ଚ୍ଚରେ ୪୮ ଲକ୍ଷ ୯୪ ହଜାର ବ୍ୟୟରେ ଖାଲଖମା ମରାମତି ସହ ଉପର ପିଚୁ କାର୍ଯ୍ୟ ହୋଇଥିଲା। ମାତ୍ର ନିର୍ମାଣ ସରିବାର ୬ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠିବା ସହ ସମ୍ପୂର୍ଣ୍ଣ ରାସ୍ତାରେ ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏହାଦ୍ୱାରା ୬ ପଞ୍ଚାୟତର ୨୫ ହଜାର ଲୋକ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଆଲୋକ ଧଳ କହନ୍ତି, ଚଉଦକୁଲାଟରୁ ଘାଘରା ଭିତରେ ୨ କି.ମି., ଚଉଦକୁଲାଟଠାରୁ ନୀଳକଣ୍ଠପୁର ଘେରି ପର୍ଯ୍ୟନ୍ତ ୨ କିମି ରାସ୍ତା ଓ ନୀଳକଣ୍ଠପୁରରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ପର୍ଯ୍ୟନ୍ତ ୩ କିମି ରାସ୍ତା ଖାଲଖମାରେ ପରିଣତ ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇଥିଲା। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ରାସ୍ତାର ମରାମତି ଲାଗି ପ୍ରଥମ ପର୍ଯ୍ୟାୟରେ ନୀଳକଣ୍ଠପୁର ପାଖରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ପର୍ଯ୍ୟନ୍ତ ୩ କିମି ରାସ୍ତାକୁ ୧୯ ଲକ୍ଷ ବ୍ୟୟରେ ଠିକାଦାରଙ୍କୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ଦିଆଯାଇଥିଲା। ପରେ ଦୁଇଟି ପର୍ଯ୍ୟାୟରେ ୪୮ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏଥିସହ ଗତ ୧୦ ବର୍ଷ ମଧ୍ୟରେ ଏହି ରାସ୍ତା ମରାମତି ପାଇଁ ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ରାସ୍ତା ଅବସ୍ଥାରେ ସୁଧାର ଆସୁ ନ ଥିବା ବେଳେ ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ସମସ୍ୟା ହେଉଛି। ସେହିପରି ସାମାଜିକ କର୍ମୀ ବିଜୟ ଦାସ କୁହନ୍ତି, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ନିମନ୍ତେ ଏହି ରାସ୍ତା ଲେଉଟିଆ କିଆରି ପାଲଟିଛି। ପ୍ରତିବର୍ଷ ଏହି ରାସ୍ତା ମରାମତି ଆଳରେ କାମକୁ ଅତି ନିମ୍ନମାନର କରାଯାଇ ଅର୍ଥ ହରିଲୁଟ୍‌ କରାଯାଉଛି ବୋଲି ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ ଷଣ୍ଢପଲ୍ଲୀ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ଅଧୀନରେ ଥିବା ୩ କିମିରେ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ଏବେ ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ଏହି ଘେରିବନ୍ଧ ଉପରେ ଇନ୍ଦୁପୁର ପାଖରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି। ଏହି ରାସ୍ତାକୁ ଜଳସମ୍ପଦ ବିଭାଗ ଉପର ଠାଉରିଆ ଭାବେ ମରାମତି କରୁଛି। ଏ ସମ୍ପର୍କରେ ସହ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଏହି କାମ ସମ୍ପର୍କରେ ଅନୁଧ୍ୟାନ କରି ଏହାର ସମାଧାନ କରିବୁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗତ ୨ ବର୍ଷ ଧରି ଏହି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆଖାବରା ହେଉଛନ୍ତି। ନୀଳକଣ୍ଠପୁର, ହାଟପାଟଣା, ନୂଆପାଟଣା, ଚନ୍ଦନପୁର ସମେତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ୬ଟି ପଞ୍ଚାୟତର ଦୈନିକ ୨୫ ହଜାରରୁ ଊଦ୍ଧର୍‌ବ ଲୋକ ନିର୍ଭର କରନ୍ତି। ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳର ଏହା ଅନ୍ୟତମ ମୁଖ୍ୟରାସ୍ତା ହୋଇଥିବାରୁ ଏହା ଗୁରୁତ୍ୱ ବହନ କରୁଛି। ତେବେ ଏହି ରାସ୍ତାକୁ ଠିକ୍‌ ଢଙ୍ଗରେ ମରାମତି କରାଗଲେ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ଅଞ୍ଚଳର ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।