Categories: ବାଣିଜ୍ୟ

ପ୍ୟାକେଜ୍ଡ ପାଣି ପାଇଁ ୬ ମାସ: ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ,୩।୧: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ପ୍ୟାକିଂ ହୋଇଥିବା ପାଣି ଉପରେ ସରକାରଙ୍କ ନୂଆ ନିୟମ ଲାଗୁ ନିମନ୍ତେ ସମୟ ସୀମା ବୃଦ୍ଧି କରାଯାଇଛି। ଆସନ୍ତା ୧ ଜୁଲାଇ ୨୦୨୧ ସୁଦ୍ଧା ସମସ୍ତ ପ୍ୟାକିଂ ପାନୀୟ ଜଳଗୁଡିକରେ କ୍ୟାଲସିୟମ ଓ ମାଗ୍ନେସିୟମ ଭଳି ଖଣିଜ ମହଜୁଦ ହୋଇପାରୁଥିବା ଆବଶ୍ୟକ ବୋଲି କୁହାଯାଇଛି। ପୂର୍ବରୁ ଖାଦ୍ୟ ବ୍ୟାପାର ଅପରେଟର(ଏଫ୍‌ବିଓ)ଙ୍କ ଲାଗି ଏଫ୍‌ଏସ୍‌ଏସ୍‌ଏଆଇ ୧ ଜୁଲାଇ ୨୦୨୦ରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମଗ୍ର ଦେଶରେ କୋଭିଡ୍‌ କଟକଣା ଓ ଲକ୍‌ଡାଉନ ଯୋଗୁ ଏହି ନିୟମ ଲାଗୁ ନିମନ୍ତେ ସମୟ ସୀମାକୁ ୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। କମ୍ପାନୀଗୁଡିକର ଦାବି ଓ ଆପତ୍ତିକୁ ଗ୍ରହଣକରି ସରକାର ଆଉ ୬ ମାସ ଏହାକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଏଫ୍‌ଏସ୍‌ଏସ୍‌ଏଆଇର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ହିତାଧିକାରୀଙ୍କ ଏକ ବର୍ଗ ଏ ନେଇ ଆପତ୍ତି କରିଥିଲେ; ଯେଉଁଥିରେ କୋଭିଡ୍‌-୧୯ ମହାମାରୀ ଲାଗି ନିୟମ ପାଳନ ନିମନ୍ତେ ଏଫ୍‌ବିଓମାନେ ଏପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିପାରି ନ ଥିବା ଅଧିକାରୀ ଜଣକ କହିଥିଲେ। ଏହି ନିୟାମକ ୧ ଜୁଲାଇ ସୁଦ୍ଧା ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ୍‌ ୱାଟରରେ କ୍ୟାଲସିୟମ ଓ ମାଗ୍ନେସିୟମ ମାତ୍ରା ସମ୍ପର୍କିତ ନିୟମ ପାଳନ ବାଧ୍ୟତାମୂଳକ ହେବ ବୋଲି ସ୍ପଷ୍ଟ କରାଯାଇଛି। ବିଭିନ୍ନ ବର୍ଗର ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ ୱାଟରରେ ଏହି ମାନ ଏଫ୍‌ଏସ୍‌ଏସ୍‌ଏଆଇ ୨୦୧୯ ମସିହାରୁ ନିର୍ଦ୍ଧାରଣ କରିଛନ୍ତି। ପ୍ରତି ପାଣି ବୋତଲ (୧ଲିଟର)ରେ ଅନୂ୍ୟନ ୨୦ରୁ ୭୫ ମିଲିଗ୍ରାମ କ୍ୟାଲସିୟମ ଓ ମାଗ୍ନେସିୟମ ରହିପାରିବ। ତେବେ ଏପର୍ଯ୍ୟନ୍ତ ବଜାରରେ ମିଳୁଥିବା ପାଣି ବୋତଲରେ ଏହି ଖଣିଜ ପରିମାଣ ମାତ୍ର ୧୦ରୁ ୩୦ ମିଲିଗ୍ରାମ ମଧ୍ୟରେ ରହୁଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଏଫ୍‌ଏସ୍‌ଏସ୍‌ଏଆଇ ୨୦୧୯ ମସିହାରୁ ଏଥିପାଇଁ ଆଇନ ଲାଗୁ କରିଛନ୍ତି।

Share