ବାଇକ୍‌ ଡିକି ଭାଙ୍ଗି ୬ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

କୋକସରା,୨୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ମୋଟେର ଛକ ନିକଟରେ ବାଇକ୍‌ ଡିକି ଭାଙ୍ଗି ୬ ଲକ୍ଷ ଲୁଟ୍‌ ହୋଇଥିବା ନେଇ ବାପପୁଅ କୋକସରା ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କୋକସରା ପୋଲିସ ଅଧିକାରୀ ପ୍ରସନ୍ନ ବେହେରା ସହ ପୋଲିସ ଟିମ୍‌ ମୋଟେର ଛକରେ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାନୁସାରେ, ଜୟପାଟଣାରେ ରହୁଥିବା ନାରାୟଣ ପଣ୍ଡା(୭୬)ଓ ତାଙ୍କ ପୁଅ ଗୋପୀନାଥ ପଣ୍ଡା ବୁଧବାର କୋକସରା ଷ୍ଟେଟ୍‌ ବ୍ୟାଙ୍କରୁ ୬ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ବାଇକ୍‌ ଡିକିରେ ରଖି ଜୟପାଟଣା ଯାଉଥିଲେ। ବାଟରେ ମୋଟେର ଛକରେ ଏକ ଦୋକାନରୁ ଟିଫିନ୍‌ କରୁଥିବା ସମୟରେ ପୂର୍ବରୁ ପିଛା କରୁଥିବା ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌ ଡିକିରୁ ଆଖି ପିଛୁଳାକେ ୬ ଲକ୍ଷ ଲୁଟି ନେଇ ଫେରାର ମାରିଥିଲେ। ପରେ ଏ ନେଇ କୋକସରା ଥାନାରେ ଅଭିଯୋଗ କରିଛନ୍ତି ନାରାୟଣ ପଣ୍ଡା। ଏ ନେଇ କୋକସରା ଥାନାଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଛି ଓ କୋକସରା ପୋଲିସ କେସ୍‌ ନମ୍ବର ୧୫୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା କହିଛନ୍ତି।