ଚାକିରି ନାଁରେ ୬ଲକ୍ଷ ଠକେଇ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ୬ଲକ୍ଷ ଠକେଇ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ସେ ହେଲେ ଭଦ୍ରକ ଜିଲା ବାସୁଦେବପୁର ବେତଡା ଗ୍ରାମର ଜୟନ୍ତୀ ପରିଡା(୩୦)। ଜୟନ୍ତୀ ବାଲେଶ୍ୱର ଜିଲା ନୀଳଗିରି କାଣ୍ଡଗରଡିରେ ରହୁଥିଲେ। ଏହି ସମୟରେ ଠକେଇର ଶିକାର ହୋଇଥିବା ବାଲେଶ୍ୱର ଖନ୍ତାପଡାର ଶୁଭଶ୍ରୀ ଜେନାଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କ ବିରୋଧରେ ୧୮୨/୨୦୧୮ ମାମଲା ରୁଜୁ କରିଥିଲା। ତେବେ ଗିରଫ ପରେ ଜୟନ୍ତୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ବାଲେଶ୍ୱର ଖନ୍ତାପଡ଼ାର ଶୁଭଶ୍ରୀ ପରିବାର ଲୋକଙ୍କ ସହ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ରୁହନ୍ତି। ଗିରଫ ହୋଇଥିବା ଜୟନ୍ତୀ ଖନ୍ତାପଡ଼ାରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା। ଜୟନ୍ତୀ ନିଜକୁ ଷ୍ଟେଟ୍‌ ବ୍ୟାଙ୍କ କଳ୍ପନା ଶାଖାର ପିଓ ଭାବେ ପରିଚୟ ଦେଇ ଶୁଭଶ୍ରୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ୬ଲକ୍ଷ ଟଙ୍କା ଦେଲେ ସେ ବ୍ୟାଙ୍କରେ ଚାକିର କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶୁଭଶ୍ରୀ ତାଙ୍କ ବାପାଙ୍କ ଆକାଉଣ୍ଟରୁ ଜୟନ୍ତୀଙ୍କୁ ୫ଲକ୍ଷ ୧୦ ହଜାର ଟଙ୍କା ଟ୍ରାନ୍ସଫର କରିବା ସହ ନଗଦ ୯୦ ହଜାର ଟଙ୍କା ଦେଇଥିଲେ। ବହୁବର୍ଷ ବିତିଯାଇଥିଲେ ମଧ୍ୟ ଜୟନ୍ତୀ ଚାକିରି ଦେଇ ନ ଥିଲେ କି ଟଙ୍କା ବି ଫେରାଇ ନ ଥିଲେ।