କୂଳ ଲଂଘୁଛି ସମୁଦ୍ର: ଉଚ୍ଚ ଜୁଆର ଯୋଗୁ ସମୁଦ୍ରରେ ଲୀନ ହେଲା ୬ ଘର

ଗଞ୍ଜାମ,୨୯।୭(ଡି.ଏନ୍‌.ଏ.): କୂଳ ଲଂଘୁଛି ସମୁଦ୍ର। ଉଚ୍ଚ ଲହରୀ ଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଅବକ୍ଷୟ ହେବାରେ ଲାଗିଛି l ଗଞ୍ଜାମ ଜିଲା ପାଳିବନ୍ଧ ପଞ୍ଚାୟତ ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡ଼ମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ପୁଣି ୬ ଘର ସମୁଦ୍ର ମଧ୍ୟରେ ଲୀନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିକୁ ଆଶଙ୍କା କରି ପ୍ରଶାସନ ସେମାନଙ୍କୁ ଅନତ୍ର ଥଇଥାନ କରିଥିଲା। ଏଥିଯୋଗୁ ଅନ୍ୟ କ୍ଷୟକ୍ଷତି ହୋଇନାହିଁ।

ସୂଚନାଯୋଗ୍ୟ, ପୋଡ଼ମପେଟା ଗ୍ରାମ ପ୍ରତି ବିପଦ ଥିବା ଯୋଗୁ ଜିଲା ପ୍ରଶାସନ ୨୦୧୩ରେ ବୁମୁନାଗିରି ପାହାଡ଼ ପାଦ ଦେଶରେ ଉକ୍ତ ଗ୍ରାମର ପ୍ରାୟ ୯୯% ପ୍ରତିଶତ ଅର୍ଥାତ ୧୦୨ ପରିବାରକୁ ଥଇଥାନ କରିସାରିଛି। ଆଉ କିଛି ପରିବାରଙ୍କ ସଦସ୍ୟ ଅଧିକ ଥିବା ଯୋଗୁ ସେମାନେ ବାଧ୍ୟ ହୋଇ ସମୁଦ୍ରକୂଳରେ ଥିବା ଘର ପାଖରେ ନିଜ ଜାଲ, ଡ଼ଙ୍ଗା ରଖିବାକୁ ବାଧ୍ୟ ହେଉଥିବା କହିଛନ୍ତି। ହେଲେ ଉକ୍ତ ଘର ଗୁରୁବାର ସମୁଦ୍ରରେ ମିଶି ଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଗୋଖରକୁଦାଠାରୁ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ମନ୍ଦିର ଓ ପୋଡ଼ମପେଟା ପର୍ଯ୍ୟନ୍ତ ସମୁଦ୍ରକୁଳରେ ଥିବା ଝାଉଁ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି l ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ସମୁଦ୍ର ଉପକୂଳ ନିକଟବର୍ତ୍ତୀ ମସ୍ୟଜୀବୀ ଦାବି କରିଛନ୍ତି l