୬ ପରିବାର ୭ବର୍ଷ ହେଲା ବିତାଡ଼ିତ

ଖୋର୍ଦ୍ଧା ଅଫିସ,୩୧।୮: ମାନବବାଦ ସଙ୍ଗଠନ ନଁାରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଙ୍ଗଠନ ନଁାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସଙ୍ଗଠନର ଅତ୍ୟାଚାର ସହି ନ ପାରି ୭ବର୍ଷ ହେବ ଖୋର୍ଦ୍ଧା ସଦର ଥାନା ଡାଳତୋଳା ଗ୍ରାମର ୬ ପରିବାର ଗଁା ଛାଡ଼ି ଏକ କାଜୁ ଜଙ୍ଗଲରେ ରହୁଛନ୍ତି। ଘନ ଅନ୍ଧକାର ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଜୀବନ କଟାଉଛନ୍ତି। ଏଥିସହ ସେମାନଙ୍କ ପିଲାମାନଙ୍କ ପାଠପଢ଼ାରେ ଡୋରି ବାନ୍ଧି ହୋଇଯାଇଛି।
ପ୍ରକାଶ ଯେ, ଏହି ସଙ୍ଗଠନ ଦ୍ୱାରା ନିର୍ଯାତିତ ହୋଇ ଡାଳତୋଳା ଗ୍ରାମର ଗଣେଶ ନାୟକ, ସାଧୁ ନାୟକ, ଡମ୍ବରୁଧର ପ୍ରଧାନ, ଯୋଗୀ ପ୍ରଧାନ, ଗଣେଶ ପ୍ରଧାନ ଓ ଭୀମ ଦଳାଇଙ୍କ ପରିବାର ଗଁା ଛାଡି ଜଙ୍ଗଲରେ ରହୁଛନ୍ତି। ଏପରିକି ୨୦୧୪ରେ ଏମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତିିଙ୍କୁ ଏକ ହତ୍ୟା ମାମଲାରେ ଛନ୍ଦି ଜେଲ ପଠାଇଦେଇଥିଲେ। ଘରେ ପଶି ଲୁଟପାଟ କରିବା ସହ ନିସ୍ତୁକ ମାଡ଼ ମାରି ଘର ଭାଙ୍ଗିଦେଇଥିଲେ। ସେମାନଙ୍କ ଭୟରେ ଘରୁ ବାହାରି ପାରିଲୁ ନାହିଁ। ଭୋକ ଉପାସରେ ରହିଲୁ। ଏହି ସବୁ ଗୁରୁଜୀଙ୍କ ଇଙ୍ଗିତରେ ହେଉଥିଲା। ତାଙ୍କ କଥା ନ ଶୁଣିଲେ କିମ୍ବା ସଙ୍ଗଠନ ଛାଡିଲେ ଏଭଳି ନିର୍ଯାତନା ଦିଆଯାଉଥିଲା। ସଙ୍ଗଠନ କର୍ମକର୍ତ୍ତାଙ୍କ ମାଡ଼ରୁ ବର୍ତ୍ତିବା ଲାଗି ସେବେ ଠାରୁ ଗଁା ଛାଡି ଏଠାରେ ଆଶ୍ରୟ ନେଇଛୁ ବୋଲି ଗଁାରୁ ବିତାଡ଼ିିତ ହୋଇଥିବା ପରିବାର ଲୋକେ କହିଛନ୍ତି। ମାନବାଦ ସଙ୍ଗଠନରେ କଠୋର ନିୟମ ରହିଛି। ସ୍ତ୍ରୀ ଲୋକମାନେ ଶଙ୍ଖା, ସିନ୍ଦୁର ପିନ୍ଧିବେ ନାହିଁ। ବାପାମା’ ମଲେ ଶୁଦ୍ଧକ୍ରିୟା ହେବେ ନାହିଁି। ଘରେ ତୁଳସୀ ଚଉଁରା, ଦିଅଁ ଦେବତାଙ୍କୁ ପୂଜା କରିବେ ନାହିଁି। ଗୁରୁଜୀ ସନାତନ ସଂସ୍କୃତି ବିରୋଧୀ। ଏବେ ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ିବା ଏବଂ ବାପପୁଅଙ୍କୁ ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଖବରଦାତାମାନେ ଆମକୁ ପଚରାଉଚୁରା କରୁଛନ୍ତି। ଗଣମାଧ୍ୟମରେ ଗୁରୁଜୀଙ୍କ ବିଷୟରେ କାହିଁକି ମିଛ କହୁଛ ବୋଲି କହି କେତେଜଣ ଗୁରୁଜୀଙ୍କ ସମର୍ଥକ ଧମକ ଦେଉଛନ୍ତି ବୋଲି ହୋଇଥିବା ପରିବାର ଲୋକେ କହିଛନ୍ତି। ଅନ୍ୟପଟେ କୌଣସି ସତ୍ୟତା ନ ଜାଣି ଗୁରୁଜୀଙ୍କ ନଁାରେ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରାଯାଉଛି ବୋଲି ଗୁରୁଜୀଙ୍କର ଜଣେ ସମର୍ଥକ କହିଛନ୍ତି।