ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ସମେତ ୬ ଗିରଫ

ସମ୍ବଲପୁର,୨୦ା୪(ବ୍ୟୁରୋ): ପାରାଦୀପରୁ ସମ୍ବଲପୁର ଦେଇ ରାଞ୍ଚତ୍କୁ ପାଇପ୍‌ ଲାଇନ୍‌ ଯୋଗେ ଯାଉଥିବା ଆଇଓସିଏଲ୍‌ କମ୍ପାନୀର ତେଲ ଚୋରି ଘଟଣାର ସମ୍ବଲପୁର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ବଲପୁର ଗୋଶାଳାସ୍ଥିତ ପେଟ୍ରୋଲ ପମ୍ପ ମାଲିକ ସୁବାସ ଅଗ୍ରୱାଲ ଓ ଅନ୍ୟ ୫ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଦୁଷ୍ମନ୍ତ ନାଏକ, ସିପୁନ ବେହେରା, ମଳୟ କର୍ଣ୍ଣ, ବିନୟ ନାଗ ଓ ଦୀପକ କୁମାର ଗୋଏଲ। ଅଭିଯୁକ୍ତଙ୍କଠାରୁ ଜେନେରେଟର, ପାଇପ୍‌ ଲାଇନ୍‌ କଟର ମେଶିନ, ତାର, ପାଣି ପମ୍ପ, ଜାର୍‌, ବୋତଲ ଓ ଅନ୍ୟାନ୍ୟ ଯନ୍ତ୍ର ଜବତ ହୋଇଥିବା ନେଇ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ସେ କହିଥିଲେ, ଜାନୁୟାରୀ ୨୦ରେ କତରବଗା ଥାନା ଅଞ୍ଚଳରୁ ପାଇପ୍‌ଲାଇନ୍‌ କଟାଯାଇ ତେଲ ଚୋରି ହୋଇଥିଲା। ଏହି ସମୟରେ ପୋଲିସ ୪ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଏଥିସହ ଘଟଣାରେ ବ୍ୟବହୃତ ୩ଟି ଟ୍ୟାଙ୍କର ଜବତ କରିଥିଲା। ପରେ ରେଢ଼ାଖୋଲ ଥାନା ଅଞ୍ଚଳରୁ ମଧ୍ୟ ଚୋରି ଉଦ୍ୟମ ହୋଇଥିଲା। କିନ୍ତୁ ପୋଲିସ ପାଟ୍ରୋଲିଂ ଯୋଗୁ ଅଭିଯୁକ୍ତମାନେ ଯନ୍ତ୍ରପାତି ଛାଡି ଫେରାର ହୋଇଯାଇଥିଲେ। ଏହି ଘଟଣାର ମାଷ୍ଟର ମାଇଣ୍ଡ ସୋନୁ ଜେନାଙ୍କ ସମେତ ଅନ୍ୟ ୬ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୨୩ରୁ ଅଧିକ ମାମଲା ରହିଛି। ଅଭିଯୁକ୍ତମାନେ ସମ୍ବଲପୁର ସମେତ ବରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଜିଲାରେ ଚୋରି, ଡକାୟତି, ହତ୍ୟା ଧମକ ଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ। ପାଇପ୍‌ ଲାଇନ୍‌ରୁ ତେଲ ଚୋରି କରି ଅଭିଯୁକ୍ତମାନେ ହଜାର ହଜାର ଲିଟର ତେଲ ଚୋରି କରି ଟ୍ୟାଙ୍କର ଯୋଗେ ନେଇ ପେଟ୍ରୋଲ ପମ୍ପରେ ବିକ୍ରି କରୁଥିଲେ।