ହାତୀମୃତ୍ୟୁ ଘଟଣାରେ ୬ ଗିରଫ

ରାଉରକେଲା ଅଫିସ,୧୬।୯: ରାଉରକେଲା ବନଖଣ୍ଡ ଅଧୀନ ବାଙ୍କି ଅଞ୍ଚଳରେ ଏକ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନାଗ ଟିଗା(୩୯), କରମ ଟିଗା(୫୮), ବିଶ୍ରା ଓରାମ(୪୧), ଅଜୟ ଓରାମ(୨୮), ସଲନ ଓରାମ(୩୦) ଏବଂ ବିଶି ଓରାମ(୩୨)। ସେମାନଙ୍କଠାରୁ ୪ଟି ତେଣ୍ଟା ଓ ୨ଟି ହାତୀଦାନ୍ତ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଧାନ ଫସଲ ନଷ୍ଟ କରିବାରୁ ଅଭିଯୁକ୍ତମାନେ ଉକ୍ତ ହାତୀକୁ ମାରି ଦେଇଥିବା ଜଣାପଡିଛି। ଗୁରୁବାର ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବନ ଅଧିକାରୀ ଯଶୋବନ୍ତ ସେଠୀ ଏ ନେଇ ସୂଚନା ଦେଇଛନ୍ତି।
ବନ ଅଧିକାରୀ ସେଠୀଙ୍କ ସୂଚବା ଅନୁସାରେ, ଗତ ୯ ତାରିଖ ରାତି ୧୧ଟାରେ ଏକ ଦନ୍ତା ହାତୀ ବାଙ୍କି ଗ୍ରାମକୁ ପଶି ଆସିବାରୁ ଗ୍ରାମବାସୀ ତାକୁ ଘଉଡ଼ାଇଥିଲେ। ମାତ୍ର ହାତୀଟି ଗ୍ରାମର କିଛି ଦୂରକୁ ଯାଇ ପୁଣି ରାତି ୨ଟାରେ ଆସି ଉକ୍ତ ଗ୍ରାମର କରମ ଟିଗାଙ୍କ ଧାନକ୍ଷେତରେ ପଶିଥିଲା। ଏହି ସମୟରେ ପୂର୍ବରୁ ସେଠାରେ ଜଗି ରହିଥିବା ଅଭିଯୁକ୍ତମାନେ ହାତୀକୁ ତେଣ୍ଟାରେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ହାତୀଟି ସେଠାରୁ କିଛି ବାଟ ଯାଇ ତଳେ ପଡିଥିଲା। ହାତୀ ଦେହରୁ ପ୍ରଚୁର ରକ୍ତସ୍ତ୍ରାବ ହେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ହାତୀ ମୃତ୍ୟୁ ହୋଇଥିବା ଜାଣି ଅଭିଯୁକ୍ତମାନେ ହାତୀ ଦେହରୁ ୪ଟି ତେଣ୍ଟାକୁ ବାହାର କରି ଧାନକ୍ଷେତ ନିକଟ ଏକ ପୋଖରୀରେ ଫିଙ୍କି ଦେଇଥିଲେ। ପରଦିନ ଅର୍ଥାତ୍‌ ୧୦ ତାରିଖ ସକାଳେ ଖବର ପାଇ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ରେଞ୍ଜ୍‌ ଅଫିସର ଅଜୟ ଖେସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା (ନଂ.୭୦।୨୨) ରୁଜୁ କରି ତଦନ୍ତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ବର୍ଷେ ତଳେ ଅଭିଯୁକ୍ତ କରମ ଏକ ହାତୀକୁ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି।