୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ

ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟର୍‌ ଉଡ଼ାଣକୁ ବାତିଲ କରାଯାଇଛି। ନୂଆ ୫ଜି ଫୋନ୍‌ ସର୍ଭିସ୍‌ରୁ ବିକିରଣ ସିଗ୍‌ନାଲ ବିମାନଗୁଡ଼ିକର ନାଭିଗେଶନ୍‌ ସିଷ୍ଟମ୍‌କୁ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଥିବାରୁ ଏୟାର ଇଣ୍ଡିଆ ସମେତ ଅନେକ ଦେଶର ଅନ୍ତର୍ଜାତୀୟ ଏୟାରଲାଇନ୍ସ ଆମେରିକାକୁ ନିଜ ବିମାନ ଚଳାଚଳ ବାତିଲ ଘୋଷଣା କରିଛନ୍ତି। ଫଳରେ ଭାରତକୁ ଆସିବାକୁ ଥିବା ଯାତ୍ରୀଙ୍କ ସମେତ ହଜାର ହଜାର ଲୋକଙ୍କ ଯାତ୍ରା ଯୋଜନା ଫେଲ୍‌ ହୋଇଛି। ବୁଧବାରଠାରୁ ଆମେରିକାକୁ ବିମାନ ଚଳାଚଳ ବନ୍ଦ କରାଯିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟରରେ ସୂଚନା ଦିଆଯାଇଛି। ଦିଲ୍ଲୀ-ଜେଏଫ୍‌କେ-ଦିଲ୍ଲୀ, ଦିଲ୍ଲୀ-ସାନ୍‌ଫ୍ରାନ୍‌ସିସ୍କୋ-ଦିଲ୍ଲୀ, ଦିଲ୍ଲୀ-ଶିକାଗୋ-ଦିଲ୍ଲୀ ଏବଂ ମୁମ୍ବାଇ-ନଓ୍ବୋର୍କ-ମୁମ୍ବାଇ ରୁଟ୍‌ରେ ବିମାନ ଚଳାଚଳକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷେ ଦିଲ୍ଲୀରୁ ଓ୍ବାଶିଂଟନ ଡିସିକୁ ବୁଧବାର ନିର୍ଦ୍ଧାରିତ ସମୟରେ ବିମାନ ଚଳାଚଳ କରିଥିବା ଏଥିରେ କୁହାଯାଇଛି।
ପ୍ରକାଶ ଯେ, ଆମେରିକା ବର୍ଷକ ତଳେ ମୋବାଇଲ ଫୋନ୍‌ କମ୍ପାନୀଗୁଡ଼ିକୁ ୮୦ ବିଲିୟନ୍‌ ଡଲାରରେ ମଧ୍ୟମ ରେଞ୍ଜର ୫ଜି ବ୍ୟାଣ୍ଡଓ୍ବିଥ୍‌ ନିଲାମ କରିଥିଲା। ୩.୭-୩.୯୮ ଗିଗାହର୍ଜ ରେଞ୍ଜରେ ପ୍ରଦାନ କରାଯାଇଥିବା ଏହି ସି ବ୍ୟାଣ୍ଡ ସ୍ପେକ୍ଟ୍ରମ୍‌ ଟେକ୍ନୋଲୋଜି ଅଲ୍‌ଟିମିଟର ଭଳି ଉପକରଣକୁ ପ୍ରଭାବିତ କରିପାରେ ବୋଲି ଗତ ୧୪ ତାରିଖରେ ଫେଡେରାଲ ଆଭିଏଶନ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଏଏ) ସତର୍କ କରାଇଥିଲା। ଅଲ୍‌ଟିମିଟର ହେଉଛି ଏକ ଯନ୍ତ୍ର, ଯାହା ଭୂପୃଷ୍ଠରୁ ବିମାନ ଉଡ଼ାଣର ଉଚ୍ଚତା ମାପିଥାଏ। ଅଲ୍‌ଟିମିଟର ୪.୨-୪.୪ ଗିଗାହର୍ଜ ରେଞ୍ଜରେ କାମ କରିଥାଏ। ଏହା ସ୍ବୟଂକ୍ରିୟ ଅବତରଣ ସୁବିଧା ଯାଞ୍ଚ କରିବା ସହ ପବନରେ ଥିବା ବିପଜ୍ଜନକ ବିଦ୍ୟୁତ୍‌ ଶକ୍ତିକୁ ମଧ୍ୟ ଠାବ କରିବାରେ ସହାୟକ ହୋଇଥାଏ। ନିଲାମ ହୋଇଥିବା ଫ୍ରିକ୍ୱେନ୍ସିଗୁଡ଼ିକ ଏହାର ଅତି ନିକଟତର ହୋଇଥିବାରୁ ଏୟାରଲାଇନ୍ସଗୁଡ଼ିକ ଏବେ ଚିନ୍ତାରେ।

Share