୫୯୦ ହୋମିଓପାଥି ଚିକିତ୍ସାକେନ୍ଦ୍ରରେ ତାଲା

ନୟାଗଡ଼ ଅଫିସ,୯।୭: ଆୟୁଷ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ ହୋମିଓପାଥି ଡାକ୍ତରଙ୍କୁ କୋଭିଡ୍‌ ଡ୍ୟୁଟିରେ ପଠାଯିବା ପରେ ରାଜ୍ୟରେ ୫୯୦ ହୋମିଓପାଥି ଚିକିତ୍ସାଳୟରେ ପ୍ରାୟ ୩ମାସ ହେଲା ତାଲା ଝୁଲୁଛି। ଫଳରେ ଗ୍ରାମାଞ୍ଚଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ରାଜ୍ୟର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସିରେ ଆୟୁଷ ଡାକ୍ତର ନିୟୋଜିତ ଥିବାବେଳେ ଗ୍ରାମାଞ୍ଚଳ ଡାକ୍ତରଙ୍କୁ କୋଭିଡ୍‌ ଡ୍ୟୁଟି ଦେବା ଠିକ୍‌ ହୋଇ ନାହିଁ ବୋଲି ଅଭିଯୋଗ ହୋଇଛି।
ରାଜ୍ୟରେ ୫୯୦ ହୋମିଓପାଥି ଓ ୬୨୦ ଆୟୁର୍ବେଦିକ ଚିକିତ୍ସାଳୟ ଅଛି। ଏଥିରୁ ପ୍ରାୟ ୯୫ ପ୍ରତିଶତ ଚିକିତ୍ସାଳୟ ଗ୍ରାମାଞ୍ଚଳରେ ରହିଛି। ଏଠାରେ ନିୟୋଜିତ ଆୟୁଷ ଡାକ୍ତର ଗ୍ରାମାଞ୍ଚଳ ରୋଗୀଙ୍କ ସାହାଭରସା ଥିଲେ। ହେଲେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏହି ଡାକ୍ତରମାନେ ଏପ୍ରିଲ ୭ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‌ ଡ୍ୟୁଟିରେ ଯୋଗ ଦେଇଥିଲେ। ଫଳରେ ରାଜ୍ୟର ୧୨୧୦ ହୋମିଓପ୍ୟାଥି ଓ ଆୟୁର୍ବେଦିକ ଚିକିତ୍ସାଳୟରେ ତାଲା ଝୁଲିଥିଲା। ସ୍ବାସ୍ଥ୍ୟସେବା ଅସୁବିଧା ସମ୍ପର୍କରେ ହୋମିଓପାଥି ଡାକ୍ତରମାନେ ଡାଇରେକ୍ଟର (ଡିଏଚମ)ଙ୍କୁ ଅବଗତ କରାଇଥିଲେ। ଆୟୁର୍ବେଦିକ ଡାକ୍ତରମାନେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ, ଯାହାର କେସ୍‌ ନଂ. ଡବ୍ଲ୍ୟୁପିସି ୧୧୫୮୭/୨୦୨୦। ଜୁନ ୩୦ରେ ଏହାର ଶୁଣାଣି ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କିଛି ଆୟୁର୍ବେଦିକ ଡାକ୍ତର ତାଙ୍କ ପୂର୍ବସ୍ଥାନକୁ ଫେରିଛନ୍ତି। ଏହାରି ଭିତରେ ହୋମିଓପାଥି ଡାକ୍ତରମାନେ ଆୟୁର୍ବେଦିକ ଡାକ୍ତରଙ୍କ ସହ ହାଇକୋର୍ଟରେ ଆଶ୍ରୟ ନେଇସାରିଛନ୍ତି। ଆସନ୍ତା ୧୩ତାରିଖରେ ଏହାର ଶୁଣାଣି ହେବାର ଅଛି। ଦଶପଲ୍ଲାର ସୁର ପ୍ରଧାନ, ଗଣିଆର ସୁଦାମ ପ୍ରଧାନ, ନୂଆଗଁାର ମାଧବ ସାହୁ କୁହନ୍ତି, ପିଏଚ୍‌ସି ଓ ସିଏଚ୍‌ସିରେ ନିୟୋଜିତ ଆୟୁଷ ଡାକ୍ତରଙ୍କୁ କୋଭିଡ୍‌ କାର୍ଯ୍ୟରେ ନିୟୋଜିତ କରାଗଲେ କିଛି ଅସୁବିଧା ହେବ ନାହିଁ। ଗ୍ରାମାଞ୍ଚଳର ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରମାନଙ୍କୁ ଚିକିତ୍ସାଳୟରେ ରଖି ସ୍ଥାନୀୟ ଅଞ୍ଚଳରେ କୋଭିଡ୍‌ କାର୍ଯ୍ୟରେ ଅତିରିକ୍ତ ଦାୟିତ୍ୱ ଦେଲେ ସ୍ବାସ୍ଥ୍ୟସେବାରେ ଅସୁବିଧା ହେବ ନାହିଁ। ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଉଚିତ।