ଦ୍ୱିତୀୟ ଲହରରେ ୫୭୭ ଶିଶୁ ଅନାଥ

ନୂଆଦିଲ୍ଲୀ,୨୭ା୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପ୍ରଥମଠାରୁ ଅଧିକ ଘାତକ ହୋଇଛି। ଏହି ଲହର ଆସିବା ପରେ ଦେଶର ବିଭିନ୍ନ ଭାଗରେ ୫୭୭ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଏହା ସରକାରୀ ତଥ୍ୟଠାରୁ ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପାଖରେ ଏପ୍ରିଲରୁ ଏଯାଏ ଉପଲବ୍ଧ ତଥ୍ୟ ଅନୁସାରେ ଦ୍ୱିତୀୟ ଲହରରେ ୫୭୭ ଶିଶୁ ଅନାଥ ହୋଇଛନ୍ତି। ଏହି ଶିଶୁମାନେ ଏବେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ସହିତ ରହୁଛନ୍ତି। ସେମାନଙ୍କ ଆବଶ୍ୟକତା ଓ ସୁରକ୍ଷା ପ୍ରତି ସରକାର ସଚେତନ ରହିଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି, ୨୦୨୧ ଏପ୍ରିଲ ୧ରୁ ବୁଧବାର ଅପରାହ୍ନ ୨ଟା ସୁଦ୍ଧା ୫୭୭ ଶିଶୁ କୋଭିଡ୍‌-୧୯ରେ ନିଜ ମା’ ଓ ବାପାଙ୍କୁ ହରାଇଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଇତିମଧ୍ୟରେ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ସରକାର ଏହି ଶିଶୁମାନଙ୍କ କଲ୍ୟାଣ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ପ୍ରତି ଜିଲାକୁ ୧୦ ଲକ୍ଷ ଟଙ୍କା ଲେଖାଏ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share