ଏପଟେ ଚାଲିଛି ସାଇବର ସଚେତନ ପକ୍ଷ, ସେପଟେ ୫୬ ହଜାର ଟଙ୍କା ଠକେଇର ଶିକାର ଛାତ୍ରୀ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ସାଇବର ଠକାମୀରୁ ବଞ୍ଚିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନ ଅଭିଯାନ ସାରା ରାଜ୍ୟରେ ପାଳନ କରାଯାଉଛି। ସରକାରଙ୍କ ତରଫରୁ ମଧ୍ୟ ବ୍ୟାପକ ସଚେତନ କରାଯାଉଛି। ତଥାପି ବହୁ ଚାଲାକିରେ ଲୋକଙ୍କଠାରୁ ଠକି ନେଉଛନ୍ତି ସାଇବର ଠକ।

ଏହିପରି ଘଟଣା ଘଟିଛି, କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତୀଖୋଜ ଗାଁର ସୁଶାନ୍ତ ନନ୍ଦଙ୍କ ଝିଅ ସୀମାଙ୍କ ଠାରେ। ସାଇବର  ଠକ ସୀମାଙ୍କଠାରୁ ୫୬ ହଜାର ଟଙ୍କା ଠକି ନେଇଛନ୍ତି। ସୀମାଙ୍କ କହିବା ଅନୁସାରେ, ତାଙ୍କ ହ୍ବାଟ୍ସଆପ୍‌କୁ ଏକ ମେସେଜ ଆସିଥିଲା। ତୁମେ ଆମ ଆପ୍‌କୁ ସବୁବେଳେ ଦେଖି ଲାଇକ୍‌ କରୁଥିବାରୁ ସୁନାଗହଣା, ଆପଲ ଆଇ ଫୋନ୍‌ ସହ ୧୫ ଲକ୍ଷର ଉପହାର ଜିତି ପାରିଛ। ତେଣୁ ତୁମ ଠିକଣା ଦିଅ ଆମେ କୋରିଅରରେ ପଠାଇବୁ ଏବଂ ତାଙ୍କ ପାଖକୁ ୯୨୩୧୬୬୭୦୦୨୨୮ ନମ୍ବରରୁ ଏକ ଫୋନ୍‌ କଲ୍‌ ଆସିଥିଲା। କୋରିଅର ଟ୍ୟାକ୍ସ ବାବଦକୁ ୪ ହଜାର ପଠାଇବାକୁ କହିଥିଲେ। ସାଙ୍ଗେ ସାଙ୍ଗେ ସୀମା ଏବଂ ତାଙ୍କ ବାପା ସୁଶାନ୍ତ ନନ୍ଦ ସେମାନଙ୍କ କଥାକୁ ବିଶ୍ୱାସ କରି ୪ ହଜାର ତାଙ୍କ ପାଖରେ ଗ୍ରାହକ ସୁବିଧା କେନ୍ଦ୍ରକୁ ଯାଇ ସେମାନେ ଦେଇଥିବା ଫୋନ୍‌ ପେ’ ନମ୍ବର ୭୮୦୭୪୯୭୪୪୮ ରଞ୍ଜିତ ସିଂ ନାମରେ ଟଙ୍କା ପଠାଇ ଦେଇଥିଲେ। ତା’ପରେ ପୁଣି ଆପଲ୍‌ ଆଇ ଫୋନ୍‌ ରେଜିଷ୍ଟ୍ରେଶନ ବାବଦରେ ୧୫ ହଜାର ଏବଂ ଏୟାରପୋର୍ଟରେ ଅନୁମତି ପାଇଁ ୩୭ହଜାର ପଠାଇବା ପାଇଁ କହିଥିଲେ। ସୀମା ଏବଂ ତାଙ୍କ ବାପା ଗ୍ରାହକ ସୁବିଧା କେନ୍ଦ୍ରକୁ ଯାଇ ସବୁ ଟଙ୍କା ପଠାଇଥିଲେ। ସମୁଦାୟ ୫୬ ହଜାର ନେଇସାରିଲା ପରେ ପୁଣି ୫୧ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଆଉ ଟଙ୍କା ନ ଥିବାରୁ ସୀମା ନନ୍ଦ ନିରାଶ ହୋଇ ହୋଇସବୁ ଟଙ୍କା ଫେରେଇ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଫୋନ୍‌ ଅଫ୍‌ କରିଦେଇଥିଲେ।  ନନ୍ଦ ପରିବାର କେସିଙ୍ଗା ଥାନାରେ ଅଭିଯୋଗ କରିବାକୁ ଭୟ କରୁଥିବାର ଜଣାପଡ଼ିଛି। କାନ ମୁଣ୍ଡ ଆଉଁସି ସେମାନେ ଚୁପ୍‌ ରହିଛନ୍ତି।