ଏକାଠି ମଦ ପିଇ ନିଶାରେ ଯିଏ ଯାହାକୁ ପାରିଲେ ପିଟିଲେ; ଆଉ ତା’ ପରେ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୩୨୬ ନଂ ଜାତୀୟ ରାଜପଥ ମାଁ ଚାମୁଣ୍ଡା ମନ୍ଦିର ନିକଟ ମୁଖ୍ୟରାସ୍ତା ରେ ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ନିଶାସକ୍ତ ଅବସ୍ଥାରେ ଦିଗପହଣ୍ଡି ଏବଂ ଡେଙ୍ଗାଓସ୍ତା – ଖଜୁରୀପଦା ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୫ ଯୁବକ ଗୁରୁତର ଆହାତ ହୋଇଥିବା ବେଳେ ଛୁରା ମାଡ଼ରେ ଉଭୟ ଗୋଷ୍ଠୀର ୩ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ସେମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଚିକିତ୍ସା କରାଯିବା ପରେ ଜଣଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଶନିବାର ଅପରାହ୍ନରେ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ରାତିରେ ଦିଗପହଣ୍ଡିର କିଛି ଯୁବକ ରାସ୍ତାକଡରେ ଥିବା ମଦ ଦୋକାନରୁ ମଦ ପିଉଥିଲେ। ଡେଙ୍ଗାଓସ୍ତା – ଖଜୁରୀ ପଦାର ୧୫ରୁ ଊଦ୍ଧର୍‌ବ ଯୁବକ ସେଠାରେ ପହଞ୍ଚି ମଦ ପିଇଥିଲେ। ନିଶାସକ୍ତ ଅବସ୍ଥାରେ ସେମାନଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ସେମାନେ ପରସ୍ପର ଉପରେ ଆକ୍ରମଣ କରିଥିଲେ। ଖବରପାଇ ଆଇଆଇସି ସଦଳବଳ ଘଟଣାସ୍ଥଳରେ ପହଞ୍ଚିବାରୁ ଉଭୟ ଗୋଷ୍ଠୀର ଯୁବକମାନେ ଅନ୍ଧାର ରାତିର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିଲେ। ରାସ୍ତା ଉପରେ ଆହତ ଅବସ୍ଥାରେ ପଡିଥିବା ଯୁବକମାନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ପୋଲିସ ଘଟଣାସ୍ଥଳରୁ ୫ ବାଇକ, ରକ୍ତ ଲଗା ଛୁରି ଏବଂ ଏକ ମାଉଜର ଜବତ କରି ତଦନ୍ତ ଚଳାଇଛି।