ଇଣ୍ଡିଆ ଗେଟ୍‌ ସଦୃଶ ତୋରଣ ମୁଖ୍ୟ ଆକର୍ଷଣ

ସୋନପୁର,୨୭।୯(ନି.ପ୍ର.): ସୁବର୍ଣ୍ଣପୁର ସହର ଟିକିରିପଡାରେ ୫୫ତମ ସାର୍ବଜନୀନ ଦୁର୍ଗା ପୂଜା ମହାସମାରୋହରେ ପାଳନ କରାଯିବ। ଏଥିପାଇଁ ପୂଜା କମିଟି କର୍ମକର୍ତ୍ତାମାନେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିବର୍ଷ ନୂଆ ଢଙ୍ଗରେ ପୂଜା ପାଳନ କରି ଆସୁଥିବା ଟିକିରିପଡା ପୂଜା କମିଟି ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତୋରଣର ମୁଖ୍ୟ ଗେଟ୍‌କୁ ଇଣ୍ଡିଆ ଗେଟ୍‌ ସଦୃଶ ନିର୍ମାଣ କରୁଛି। ସୁନ୍ଦର ମୂର୍ତ୍ତି ନିର୍ମାଣ ସହିତ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ଯୋଜନା କରିଛି। ଅକ୍ଟୋବର ୨ତାରିଖ ସପ୍ତମୀ ପୂଜାଠାରୁ ୫ ତାରିଖ ପର୍ଯ୍ୟନ୍ତ ମଣ୍ଡପରେ ପାରମ୍ପରିକ ରୀତିନୀତିରେ ମା’ ଦୁର୍ଗାଙ୍କ ପୂଜା କରାଯିବ। ୬ ତାରିଖ ସନ୍ଧ୍ୟାରେ ଆୟୋଜିତ ଅର୍କେଷ୍ଟ୍ରାରେ ଟି.ସୌରୀ ଓ ଅମ୍ରିତା ନାୟକ ସଙ୍ଗୀତ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି । ୮ ତାରିଖ ଶନିବାର ସନ୍ଧ୍ୟାରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରାଯିବ। ଗଙ୍ଗାଧର ମେହେର ଛକରେ ଲାଇଟ ଶୋ ପ୍ରଦର୍ଶନ ହେବ। ମା’ଙ୍କ ଭସାଣି ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ସମ୍ବଲପୁରୀ ମେଲୋଡି, ପଞ୍ଜାବି ବାଜା, ସାନ୍ତାଳୀ ନୃତ୍ୟ ଦଳ, ହରିଆଣାର ଶିବ ତାଣ୍ଡବ ନୃତ୍ୟ ଓ କାଳୀ ମାତା ନୃତ୍ୟ ଏବଂ ସମ୍ବଲପୁରର ଘଣ୍ଟବାଦ୍ୟ ପରିବେଷଣ କରାଯିବ ବୋଲି ପୂଜା କମିଟି ସଭାପତି ପ୍ରାଣବନ୍ଧୁ ବାରିକ, ସମ୍ପାଦକ ନରସିଂହ ସେଠୀ, କୋଷାଧ୍ୟକ୍ଷ ସଞ୍ଜିବ ମଲ୍ଳିକ, ସଭ୍ୟ ପ୍ରଦୀପ ସେଠୀ, ସୂର୍ଯ୍ୟନାରାୟଣ ବାଗ, ଛନ୍ଦା ଚରଣ ମିଶ୍ର, ବାବୁଲୁ ଦଣ୍ଡସେନା, ବିପ୍ର ଦାଶ ଓ ଓ ଦୀନବନ୍ଧୁ ବଢେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧୨ଲକ୍ଷ ଟଙ୍କାର ବଜେଟ ରଖାଯାିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପୂଜା ସହିତ ପୂଜା କମିଟି ପକ୍ଷରୁ ସମାଜସେବାମୂଳକ କାର୍ଯ୍ୟ କରାଯାଇଥାଏ। ଏହିକ୍ରମରେ ଗତ ଶନିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୬୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ସନ୍ଧ୍ୟାରେ ସାମୂହିକ ହନୁମାନ ଚାଳିଶା ପାଠ କରାଯାଇଥିଲା।