Categories: ଅନୁଗୋଳ

ଦିନକରେ ୫୫ ପଜିଟିଭ୍‌, ଅନୁଗୋଳରେ ଛନକା

ଅନୁଗୋଳ ଅଫିସ,୯।୧: ଦୀର୍ଘଦିନ ପରେ କରୋନା ସଂକ୍ରମିତଙ୍କୁ ନେଇ ଅନୁଗୋଳ ଜିଲାରେ ବଢ଼ିଛି ଚିନ୍ତା। ଶନିବାର ଏକାବେଳେ ଜିଲାରୁ ୫୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ଲୋକଙ୍କ ମଧ୍ୟରେ ଛନକା ପୂରାଇଦେଇଛି। ପୂର୍ବରୁ ଜିଲାକୁ ଓମିକ୍ରନ ପ୍ରଜାତି ଛୁଇଁସାରିଥିବା ବେଳେ ଏବେ ହଠାତ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କଟକଣାକୁ ଅଧିକ କଡ଼ାକଡ଼ି କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଜିଲାର କେତୋଟି ସ୍କୁଲରେ କରୋନା ଭୂତାଣୁ ପ୍ରବେଶ କରିବା ପରେ ସଂକ୍ରମଣ ଊର୍ଦ୍ଧ୍ୱମୁଖୀ ହୋଇଥିବା କୁହାଯାଉଛି।
ଦିନକରେ ଜିଲାରୁ ୫୫ ପଜିଟିଭ୍‌ଙ୍କ ଚିହ୍ନଟ ପରେ ଜିଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୫୮୮ରେ ପହଞ୍ଚତ୍ଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୯ ଜଣ (୧୦ ପୁରୁଷ ଓ ୯ ମହିଳା) ଥିବାବେଳେ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୧୭ (୧୨ ପୁରୁଷ ଓ ୫ ମହିଳା), ତାଳଚେର ବ୍ଲକ ଅଞ୍ଚଳରୁ ୧୧(୭ ପୁରୁଷ ଓ ୪ ମହିଳା) ଓ ଅନୁଗୋଳ ପୌରାଞ୍ଚଳରୁ ୮ ଜଣ (୬ ପୁରୁଷ ଓ ୨ମହିଳା) ରହିଛନ୍ତି। ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ନିଜ ଘରେ ସଙ୍ଗରୋଧରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି। ସେହିପରି ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯୮ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ୧୪ ଲକ୍ଷ ୮୧ ହଜାର ୪୩୯ ଜଣଙ୍କୁ ଟିକା ଦିଆଯାଇସାରିଛି। ଏଥିସହ ୧୫ରୁ ୧୮ ବର୍ଷର ୨ ହଜାର ୬୭୨ଜଣ କିଶୋରୀ କିଶୋରଙ୍କୁ ଶନିବାର ଟିକାକରଣରେ ସାମିଲ କରାଯାଇଛି।